ଟୁଙ୍ଗୁରୁ ଭୋଳଙ୍କୁ ବାନ୍ଧିଲା ପୋଲିସ: କରୁଥିଲେ ଏହି କାମ

ଭୁବନେଶ୍ୱର,୧୩।୧(ତ୍ରିନାଥ ମହାନ୍ତି): ସୋସିଆଲ ମିଡିଆରେ ରାତାରାତି ଭାଇରାଲ ହୋଇଥିବା ଟୁଙ୍ଗୁରୁ ଭୋଳଙ୍କୁ ଏକ ଚୋରି ମାମଲାରେ ତମାଣ୍ଡୋ ପୋଲିସ ଗିରଫ କରିଛି। ରାଜମିସ୍ତ୍ରି ସୁଧାକର ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଟୋକୁ ଚିହ୍ନଟ କରିବା ପରେ ଟୁଙ୍ଗୁରୁ ଓରଫ ଆଲୋକ ଭୋଳଙ୍କୁ ଗିରଫ କରିଛି। ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ଜିଲା ହିଞ୍ଜିଳିରେ ହୋଇଥିବାବେଳେ ସେ କଳିଙ୍ଗ ନଗର କେ-୩ରେ ରହୁଛନ୍ତି।
ସୂଚନାଯୋଗ୍ୟ ଯେ, ସୁଧାକର ବୃତ୍ତିରେ ଜଣେ ରାଜମିସ୍ତ୍ରି ହୋଇଥିବାବେଳେ ସେ ତମାଣ୍ଡୋ ଥାନା ଅନ୍ତର୍ଗତ କୁବେର ସାହିରେ ଥିବା ଏକ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ସେଠାରେ ଥିବା ଏକ ଷ୍ଟୋର୍‌ ରୁମ୍‌ରେ ସେ ନିଜର ଯନ୍ତ୍ରପାତି ରଖିଥିଲେ। ଗତ ୧୦ ତାରିଖ ମଧ୍ୟାହ୍ନ ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ ଅଭିଯୁକ୍ତ ଟୁଙ୍ଗୁରୁ ଏକ ଅଟୋ ଯୋଗେ ଉକ୍ତ ଷ୍ଟୋର ରୁମ୍‌ ନିକଟରେ ପହଞ୍ଚତ୍ବା ସହ ସୁଧାକରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଭିତରେ ଥିବା ସିଲିଣ୍ଡର, ଏକ ଡ୍ରିଲ୍‌ ମେଶିନ ଏବଂ ରସ ପାତ୍ର ଚୋରି କରି ନେଇଯାଇଥିଲେ। କାମରୁ ଫେରିବା ପରେ ସୁଧାକର ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ସେ ଏନେଇ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାରେ ଟୁଙ୍ଗୁରୁ ଚୋରିରେ ସମ୍ପୃକ୍ତ ଥିବା ଜାଣିବାକୁ ମିଳିଥିଲା। ଟୁଙ୍ଗୁରୁଙ୍କୁ ଧରିବା ପରେ ପୋଲିସ ତାଙ୍କ ନିକଟରୁ ଚୋରି ଜିନିଷ ଜବତ କରିଥିଲା। ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର, ନନ୍ଦନକାନନ ଓ ତମାଣ୍ଡୋ ଥାନାରେ ଆପରାଧିକ ମାମଲା ରହିଛି।

 

Dharitri – Odisha’s No.1 Odia Daily