ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି । ଗତ ଶୁକ୍ରବାର ଦିନ ଘରେ ତାଲା ପକାଇ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଘର ଆଲମିରାରୁ ୧ ଲକ୍ଷ ୩୮ ହଜାର ଟଙ୍କା  ଚୋରି ହୋଇଯାଇଥିଲା। ମଙ୍ଗୁଳୁ ପରିବାର ସହ ଗାଁରୁ ଫେରିବା ପରେ ଟଙ୍କା ଚୋରି ହୋଇଥିବା ଜାଣିଥିଲେ। ସେ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୮୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ନୂଆପଡ଼ା ଫାଣ୍ଡି ଏଏସଆଇ ସୁବାସ ଚନ୍ଦ୍ର ବାୟକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଘରର ପ୍ରଥମ ମହଲାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମାଟ୍ରିକ ପଢୁଥିବା ନାବାଳକ ପୁଅ ମଙ୍ଗୁଳୁଙ୍କୁ ୩ ହଜାର ଟଙ୍କା ଫେରାଇଥିଲେ । ସେ ଏନେଇ ପୋଲିସକୁ ସୂଚନା ଦେବାପରେ ତଦନ୍ତକାରୀ ଅଧିକାରୀ ପହଞ୍ଚି ନାବାଳକଙ୍କ ବୟାନ ରେକର୍ଡ କରିବା ପରେ ସେ  ଅନ୍ୟ ଦୁଇ ନାବାଳକ ସାଙ୍ଗଙ୍କୁ ଡକାଇ ଗତ ଶୁକ୍ରବାର ଟଙ୍କା ଚୋରି କରିଥିବା ସ୍ବୀକାର କରିଥିଲେ । ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ କରି ସମ୍ପୃକ୍ତ ଅନ୍ୟ ଦୁଇ ନାବାଳକଙ୍କୁ ପଚରାଉଚୁରା କରିଥିଲେ ।

ସେମାନଙ୍କ ସୂଚନା ପ୍ରକାରେ କରବାଲୁଆ ଗ୍ରାମର ପପୁ ସେଠୀଙ୍କ ଠାରୁ ୯୨୫୦୦ ଟଙ୍କା ଜବତ କରାଯାଇ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଚୋରି ଯାଇଥିବା ଘର ମାଲିକ ମଙ୍ଗୁଳୁଙ୍କୁ ଟଙ୍କା ଜିମା ଦିଆଯାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ନାବାଳକଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା -୩୫(୩) ଅନୁଯାୟୀ ନୋଟିସ ପ୍ରଦାନ କରାଯାଇ ତାଙ୍କ ମାତା ପିତାଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Share