ଭୁବନେଶ୍ୱର,୨।୧୨: ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାର ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ସିବିଆଇ ୨ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଅରବିନ୍ଦଙ୍କୁ ମାରାଥନ ଜେରା କରିଛନ୍ତି। ଜେରା ବେଳେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି। ଏପରିକି ପୋଲିସ SI ଜାଲିଆତି ମାମଲାରେ ରାଜ୍ୟ ବାହାରର ଲିଙ୍କ ଥିବା ସିବିଆଇ ବଡ଼ ପ୍ରମାଣ ପାଇଛି।
ସୂଚନା ଯୋଗ୍ୟ ସିବିଆଇ ଅରବିନ୍ଦଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ୨ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।
ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିଙ୍କ ପ୍ରମୁଖ ସହଯୋଗ ଅରବିନ୍ଦ। ସେ ବିଭିନ୍ନ କୋଚିଂ ସେଣ୍ଟର ସହ ଲିଙ୍କ୍ ରଖିଥିଲେ। ସେ କୋଚିଂ ସେଣ୍ଟର ବୁଲି ଚାକିରି ପାଇଁ ପିଲା ଯୋଗାଡ଼ କରୁଥିଲେ। ପିଲା ଠିକ୍ ହେବା ପରେ ସେମାନଙ୍କୁ ନେଇ ଶଙ୍କରଙ୍କ ପାଖକୁ ଯାଉଥିଲେ। ଶଙ୍କର ଡିଲ୍ କରିବା ସହ ଅଗ୍ରିମ ଆକାରରେ ୧୦ ଲକ୍ଷ ଟଙ୍କା ନେବା ସହ ସାର୍ଟିଫିକେଟ ବନ୍ଧା ରଖୁଥିଲେ।
ଚାକିରି ପାଇବା ପରେ ବାକି ଟଙ୍କା ଦେଇ ସାର୍ଟିଫିକେଟ୍ ନେବା ପାଇଁ କହୁଥିଲେ। ତେଣୁ ସିବିଆଇ ଅରବିନ୍ଦଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଅନେକ କୋଚିଂ ସେଣ୍ଟର ନାମ ପଦାକୁ ଆସିବ ବୋଲି କୁହାଯାଉଛି।
ବୁଧବାର ଅରବିନ୍ଦଙ୍କ ରିମାଣ୍ଡ ଅବଧି ଶେଷ ହେବାପରେ ସିବିଆଇ ଗୁରୁବାର ଶଙ୍କର ଏବଂ ମୁନାଙ୍କୁ ରିମାଣ୍ଡରେ ଆଣିବ। ଅରବିନ୍ଦ ଏବଂ ଅନ୍ୟମାନଙ୍କୁ ପଚରାଉଚରା ସମୟରେ ଯେଉଁ ତଥ୍ୟ ସିବିଆଇ ପାଇଛି ତାହାକୁ ଶଙ୍କର ଏବଂ ମୁନା ସହ କ୍ରସ୍ ଚେକ୍ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ୪ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ସିବିଆଇ ମାରାଥନ ଜେରା କରି ସାରିଛି।