ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ ସୋମବାର ଅପରାହ୍ନ ପ୍ରାୟ ସାଢେ ୨ ଟାରେ ଏକ ଗଞ୍ଜେଇ ବୋଝେଇ ସ୍କୁଟି (ନଂ.ଓଡି ୨୦ ଡି-୩୬୬୧)କୁ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଗଜପତି ଜିଲା ମୋହନା ଥାନା ଗୋଛା ଗୁଡ଼ା ଗ୍ରାମର ସିଦ୍ଧାନ୍ତ ତନ୍ତୀ ଏବଂ ପାଣଗୁଡ଼ା ଗ୍ରାମର ଚିଦାନନ୍ଦ ବୀର। ସ୍କୁଟିରେ ଗଞ୍ଜେଇ ଚାଲାଣ ହେଉଥିବା ପ୍ରାପ୍ତ ସୂଚନାକୁ ଭିତ୍ତିକରି ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ ୩୨୬ ନଂ ଜାତୀୟ ରାଜପଥ ପୋଡ଼ାମାରି ପୋଲିସ ଫାଣ୍ଡି ନିକଟରେ ଛକି ରହିଥିଲେ। ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ସ୍କୁଟିକୁ ଅଟକାଇ ଖାନ ତଲାସି କରିବାରୁ ସେଥିରେ ଏକ ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଉଭୟଙ୍କ ନିକଟରୁ ୨ ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି। ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ତାହା ୩୧ କେଜି ୮ ଶହ ଗ୍ରାମ ହୋଇଥିଲା। ଅଭିଯୁକ୍ତ ଦ୍ବୟଙ୍କ ନାଁ ରେ ଥାନା ମାମଲା ନଂ.୪୨୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଆଇଆଇସି କହିଛନ୍ତି।


