ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରସଙ୍କ ନେତୃତ୍ୱରେ ଧର୍ମଗଡ ନିକଟସ୍ଥ ଚିଲଚିଲା ଗ୍ରାମର ଏକ ଢ଼ାବାରେ ଚଢାଉ କରାଯାଇ ୧୧୯ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଉକ୍ତ ଡାବାରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବାଅଭିଯୋଗ ହୋଇ ଆସୁଥିଲା। ଶନିବାର ରାତିରେ ଥାନା ଅଧିକାରୀ ସଦଳବଳେ ଉକ୍ତ ଡ଼ାବା ଉପରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡ ର ୧୧୯ ଲିଟର ବେଆଇନ ବିଦେଶୀ ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତ ନାଗେଶର ନାଏକ (୫୭)ଙ୍କୁ ଗିରଫ କରିଥିଲେ। ଏନେଇ ଧର୍ମଗଡ ଥାନାରେ କେଶ ନମ୍ବର ୧୨୧/୨୫ରେ ଏକ ମାମଲା ରୁଜ୍ଜୁ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ଦିନ ଧର୍ମଗଡ ଥାନା ପୋଲିସ ଏଏସଆଇ ବିରେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱବରେ ଧର୍ମଗଡ ଥାନା ପୋଲିସ ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ଗ୍ରାମର ରଘୁ ଚନ୍ଦ୍ର ମେହେର ଙ୍କ ଘରେ ଚଢ଼ାଉ କରି ୨୯.୧୧୫ ଲିଟର ବେଆଇନ ବିଦେଶୀ ମଦ ଜବତ କରାଯାଇଥିଲା। ଏନେଇ କେଶ ନମ୍ବର ୧୧୭/୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ଧର୍ମଗଡ ସହର ତଥା ଆଖପାଖ ଅଞ୍ଚଳରେ ଖୁଲମ ଖୁଲା ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ବଢି ଚାଲିଥିବା ବେଳେ ଏହା ଉପରେ ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହେଉଛି।