ଭୁବନେଶ୍ୱର, ୧୭।୩(ସୁନିତ୍ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସର ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ ଏବଂ ବିଜେଡିର ନବ କିଶୋର ମଲିକ, ଚକ୍ରମଣି କହଁର, ସୁବାସିନୀ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ ଓ ନିଲମ୍ବିତ ବିଧାୟକ ସନାତନ ମହାକୁଡ, ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଥିବା କୁହାଯାଉଛି। ଏହି ବିଧାୟକମାନଙ୍କ ପ୍ରତି କାଳେ ଦଳୀୟ କର୍ମୀଙ୍କ ଆକ୍ରୋଶର ପ୍ରତିଫଳନ ହେବ ତେଣୁ ସେମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଧାୟକଙ୍କ ସରକାରୀ ବାସଭବନ ବାହାରେ ପୋଲିସ ଜଗାଇ ସୁରକ୍ଷା ଯୋଗାଇ ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି। ବିଜେଡି ପକ୍ଷରୁ ଏହି ବିଧାୟକମାନଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ସେମାନଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବ ବୋଲି ଦଳର ଜଣେ ବରିଷ୍ଠ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।