୨୮ ଅପରାଧୀଙ୍କ ଘରେ ଲଟ୍‌କା ଜାରି କଲା ପୋଲିସ, ହାଜର ନ ହେଲେ…

ଛତ୍ରପୁର,୨୨ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଇଲାକାରେ ରହୁଥିବା ଫେରାର୍‌ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧୀମାନେ ହାଜର ହେଉ ନାହାନ୍ତି। ଏଣୁ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲା। ଏହା ସତ୍ତ୍ବେ ସେମାନେ କୋର୍ଟରେ ହାଜର ହୋଇ ନ ଥିଲେ। ଏଣୁ ସେମାନଙ୍କୁ ପଳାତକ ଘୋଷଣା କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲଟ୍‌କା ପ୍ରକ୍ରିୟା ଜାରି ରହିଛି।ଏହି କ୍ରମରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଛତ୍ରପୁର, ଭଞ୍ଜନଗର, ପୁରୁଷୋତ୍ତମପୁର ଓ ଆସିକା ପୋଲିସ ସବ୍‌ଡିଭିଜନ ଅଧୀନରେ ଥିବା ଥାନାଗୁଡ଼ିକର ୨୮ ଜଣ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। ସେଥି ମଧ୍ୟରୁ ଭଞ୍ଜନଗର ଥାନା ଅଞ୍ଚଳରେ ୪ ଜଣ ଅପରାଧୀଙ୍କ ଘରେ ବାହାରେ ଲଟ୍‌କା ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ୨ଜଣ, ବେଲଗୁଣ୍ଠା ଥାନା ଅଞ୍ଚଳରେ ୨ଜଣ, ତାରସିଂ ଥାନା ଅଞ୍ଚଳରେ ୨ଜଣ, ଗାଙ୍ଗପୁର ଥାନା ଅଞ୍ଚଳରେ ୫ଜଣ, ବୁଗୁଡ଼ା ଥାନା ଅଞ୍ଚଳରେ ୩ଜଣ, ପୋଲସରା ଥାନା ଅଞ୍ଚଳରେ ୩ ଜଣ, ଛତ୍ରପୁର ଥାନା ଅଞ୍ଚଳରେ ୪ଜଣ, ପୁରୁଷୋତ୍ତମପୁର , ରମ୍ଭା ଓ ଖଲିକୋଟ ଥାନା ଅଞ୍ଚଳର ଜଣେ ଲେଖାଏ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। ଠିକ୍‌ ସମୟରେ ଅପରାଧୀମାନେ କୋର୍ଟରେ ହାଜର ନ ହେଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ନୋଟିସ କରାଯାଇଛି। ଆଗକୁ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି।

Share