କଣ୍ଟାମାଳ,୧୭ା୧୦(ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି। ଜିଲା ପୋଲିସ ପକ୍ଷରୁ ବୌଦ୍ଧ ଜିଲାର ସିଗାଡ଼ି,ତିଲପଙ୍ଗା, ଉଡ଼ାମୁଣ୍ଡା, ମାତାଗାଡୁ, ଖଣ୍ଡିକନପା, ଲୁହାରପଡ଼ା, ନଳିକୁମ୍ପା, ପଲମ ଆଦି ୯ରୁ ଊର୍ଦ୍ଧ୍ୱ ସ୍ଥାନରେ ଏଭଳି ନୋଟିସ୍ ଲାଗିଥିବା ଜଣାପଡ଼ିଛି। ଏହି ସମସ୍ତ ସ୍ଥାନ ବୌଦ୍ଧ କଣ୍ଟାମାଳ, ବାଉଁଶୁଣି, ମନମୁଣ୍ଡା ଥାନା ଅଞ୍ଚଳରେ ରହିଛି। କେକେବିଏନ୍ ସଂଗଠନର ୧୦ ଜଣ ମାଓବାଦୀଙ୍କୁ ଧରାଇବା ପାଇଁ ତାଙ୍କ ଉପରେ ରହିଛି ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି। ସୂଚନା ମୁତାବକ ବୌଦ୍ଧ ଜିଲାରେ ମାଓବାଦୀ ଗତିବିଧି ବୃଦ୍ଧି ପାଉଥିବାରୁ ଏହାକୁ ମୂଳପଛ କରିବା ପାଇଁ ଜିଲା ପୋଲିସ ପକ୍ଷରୁ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ମାଓପ୍ରବଣ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଯେଉଁଥିରେ ମାଓବାଦୀଙ୍କୁ ଧରାଇଲେ ଧରାଇବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ଉଲ୍ଲେଖ ରହିଛି। ଅନ୍ୟପଟେ ମାଓବାଦୀଙ୍କୁ ମଧ୍ୟ ଆହ୍ବାନ ରହିଛି ସେମାନେ ଯଦି ଆତ୍ମସମର୍ପଣ କରନ୍ତି ତାଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଅନ୍ୟପଟେ ଜିଲା ପୋଲିସ ପକ୍ଷରୁ ମାଓବାଦୀ ଆତ୍ମସମର୍ପଣ ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ବୌଦ୍ଧ ଏସ୍ପି ସୂଚନା ଦେଇଛନ୍ତି।