ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ମାଓବାଦୀଙ୍କ ଗୁଳିରେ ଆହତ ଏସ୍ଓଜି ଯବାନ ପ୍ରେମ ସିଂ ମାଝୀଙ୍କୁ ଏମ୍କେସିଜି ମେଡିକାଲ ଆଇସିୟୁରେ ଭେଟିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସ୍ବାଇବି ଖୁରାନିଆ। ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲିସ ଏଡିଜି ସଞ୍ଜୟ କୁମାର, ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଉପସ୍ଥିତ ଥିଲେ। ମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକ ଯବାନଙ୍କ ସହ ଆଲୋଚନା କରିବା ସହ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।
ସେହିପରି ଏମ୍କେସିଜିର ଡାକ୍ତରୀ ଦଳ ସହ ଆଲୋଚନା କରିଥିଲେ। ଯବାନ ପ୍ରେମସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ୨ ଦିନ ହେବ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଞ୍ଜାମ ସୀମାନ୍ତ ଅଞ୍ଚଳ ରଣବା ମାଣିକେଶ୍ୱରୀ ପଞ୍ଚାୟତ ଗେବିଙ୍ଗିଆ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପ୍ରେମ ସିଂ ମାଝୀ ଆହତ ହୋଇଥିଲେ। ତାଙ୍କ ବାମ ହାତ, ପେଟରେ ଗୁଳି ବାଜିଥିଲା।