ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳର ଜାତୀୟ ରାଜପଥରେ।
ପ୍ରକାଶ ଯେ, ପ୍ରତିଦିନ ଭଳି ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ କାରକୁ ସନ୍ଦେହ ହେବାରୁ ପୋଲିସ ଅଟକାଇଥିଲା ଉକ୍ତ କାରରେ ଚାଳକଙ୍କ ସହ ଦୁଇଜଣ ଥିଲେ ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲା ତେବେ କାରର ଚାଳକଙ୍କ କଥାରେ ସନ୍ଦେହ ହୋଇଥିଲା। ଏହା ସହ ଚାଳକଙ୍କୁ ପୋଲିସ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି ପୂର୍ବରୁ ଦେଖିଲା ଭଳି ଅନୁଭବ ହେବାରୁ ସେ ନିଜ ମୋବାଇଲରେ ଉକ୍ତ ଚାଳକଙ୍କ ଏକ ମାମଲାରେ ଫଟୋ ଥିବା ଦେଖିଥିଲେ। ପରେ ସେ ଜାଣିଲେ ସେ ଫେରାର ଅଭିଯୁକ୍ତ ଅରୁଣ ନାହାକ ଓ ତାଙ୍କ ଘର ଗଞ୍ଜାମ ଜିଲା ରମ୍ଭା ଥାନା କଣ୍ଟାପଡା । ପୂର୍ବରୁ ସେ ଏକ ଗଞ୍ଜେଇ ମାମଲାରେ ପୋଲିସ ଠାରୁ ଖସି ପଳାଇଥିଲେ ।ପୋଲିସ ଅରୁଣ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା । ଅରୁଣ ପୋଲିସକୁ ସବୁ ସତ କହିବା ସହ ସେମାନେ ମାଷ୍ଟରମାଇଣ୍ଡ ରଞ୍ଜିତନାହାକଙ୍କ ସହ ୫ ଜଣ ଗଞ୍ଜେଇ ନେବାକୁ ଆସିଥିବା କହିଥିଲେ। ଏହାର ସୁଯୋଗ ନେଇ ପୋଲିସ ଅରୁଣ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାରେ ବସାଇ ତାଙ୍କ କାର ଏବଂ ମୋବାଇଲକୁ ବ୍ୟବହାର କରି ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି, ତଦନ୍ତକାରୀ ଅଧିକାରୀ ଲଷ୍ମୀ ମାଝୀ ସଦଳବଳ ଉକ୍ତ କାର ରେ ଗଞ୍ଜେଇ ଥିବା ସ୍ଥାନକୁ ଯାଇ ଅନ୍ୟ ଅଭିଯୁକ୍ତଙ୍କ ସମେତ ଗଞ୍ଜେଇକୁ ଜବତ କରିଥିଲା । ତେବେ କୌଶଳ କ୍ରମେ ମାଷ୍ଟର ମାଇଣ୍ଡ ଥିବା ରଞ୍ଜିତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ମୋଟ ୪ ଜଣ ତଥା ଅରୁଣ ନାହାକଙ୍କ ସମେତ ରମ୍ଭା ଥାନା ଅଞ୍ଚଳ ଏଚ.ବୁରୁଡି ଗ୍ରାମର ବିଶ୍ୱଜିତ ନାହାକ, କଣ୍ଟାପଡା ଗ୍ରାମର ରମାକାନ୍ତ ନାହାକ, ଏବଂ ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ସାମନବାଡି ଗ୍ରାମର ସଞ୍ଜୀବ ଦିଗଲ ଙ୍କୁ ପୋଲିସ ଗିରଫ କରିଛି।
ତାଙ୍କ ନାମରେ ମାମଲା ( ୮୩/୨୫ ) ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଖୋଜୁଥିବା ପୋଲିସ କହିଛି। ସୂଚନା ଯୋଗ୍ୟ ଯେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲା ରମ୍ଭା ଥାନାଏଚ.ବୁରୁଡି ଗ୍ରାମର ରଞ୍ଜିତ ନାହାକଙ୍କ ନାମରେ ପୂର୍ବରୁ ଦାରିଙ୍ଗବାଡି ଥାନାରେ ମାମଲା (୨୧ /୨୫)ମାମଲା ରହିଛି । ସେ ସେହି ସମୟରେ ଏକ କାର ରେ ୩୦ କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ମାଡି ବସିଥିଲା ସେହି ସମୟରେ ରଂଜିତ ଗିରଫ ହୋଇଥିବା ବେଳେ ଅରୁଣ ନାହାକ ଫେରାର ହୋଇଯାଇଥିଲେ। ରଞ୍ଜିତ ଜେଲରୁ ବାହାରିବା ପରେ ପୁଣି ଗଞ୍ଜେଇ ବ୍ୟବସାୟ କରୁଥିବା ପୋଲିସ କହିଛି।