କଟକ, ୧୩।୩: ସକ୍ରିୟ ବ୍ୟବସାୟ ଅନୁଷ୍ଠାନର ସମ୍ପୁର୍ଣ୍ଣ ପାଣ୍ଠିକୁ ସିଜ୍ କରିପାରିବନି ପୋଲିସ୍। ଏକ ମାମଲାର ଶୁଣାଣି କରିବା ମସୟରେ ଏଭଳି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଅପରାଧିକ ତଦନ୍ତ ସମୟରେ ପୋଲିସ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିପାରିବ, କିନ୍ତୁ ବିନା କୌଣସି ନିର୍ଦ୍ଦିଷ୍ଟ କାରଣ ବା ଆଧାରରେ ଜଣେ ବ୍ୟବସାୟୀଙ୍କ ସମ୍ପୂର୍ଣ୍ଣ ଆକାଉଣ୍ଟ ବନ୍ଦ କରିବା ଅନୁଚିତ।
ଗଜପତି ଜିଲାର ଜଣେ ଏଲପିଜି (LPG) ବିତରକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଏସ.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀ ଏବଂ ଜଣେ ନିର୍ଦ୍ଦୋଷ ଆକାଉଣ୍ଟଧାରୀଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ସମ୍ପୂର୍ଣ୍ଣ ଆକାଉଣ୍ଟ ଫ୍ରିଜ୍ କରିବା ଦ୍ୱାରା ବ୍ୟବସାୟରେ ଅଯଥା ବାଧା ସୃଷ୍ଟି ହେଉଛି।
ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା 106 ଅନୁଯାୟୀ ପୋଲିସର ଆକାଉଣ୍ଟ ଫ୍ରିଜ୍ କରିବା କ୍ଷମତା ବେଆଇନ ନୁହେଁ, କିନ୍ତୁ ସନ୍ଦେହଜନକ ଟଙ୍କାର ପରିମାଣ ଚିହ୍ନଟ ନକରି ପୂରା ଚଳନ୍ତି ଖାତା ବନ୍ଦ କରିବା “ଅସଙ୍ଗତ”। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ସମ୍ବନ୍ଧୀୟ ବିବାଦ ବଢୁଥିବାରୁ, ଏଥିପାଇଁ ଏକ ଜାତୀୟ ନୀତି ଏବଂ SOP ପ୍ରସ୍ତୁତ କରିବାକୁ କୋର୍ଟ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି।
କେରଳର ତିରୁଅନନ୍ତପୁରମ ସାଇବର ପୋଲିସର ଏକ ଇମେଲ୍ ଆଧାରରେ ପାରଳାଖେମୁଣ୍ଡି ସ୍ଥିତ ଏହି ବ୍ୟବସାୟୀଙ୍କ ଆକାଉଣ୍ଟକୁ ସେପ୍ଟେମ୍ବର ୨, ୨୦୨୫ରେ ଫ୍ରିଜ୍ କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ବ୍ୟବସାୟୀ ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସାଇବର ପୋଲିସକୁ ଦୁଇ ସପ୍ତାହ ମଧ୍ୟରେ ସନ୍ଦେହଜନକ ଅର୍ଥରାଶି ଚିହ୍ନଟ କରିବାକୁ କହିଛନ୍ତି ଏବଂ କେବଳ ସେତିକି ଟଙ୍କା ଅଟକ ରଖି ବାକି ଅର୍ଥ ବ୍ୟବସାୟ ପାଇଁ ଛାଡ଼ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି।