ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏସଆଇ ରୂପକ ଦଳେଇ, ଏଏସଆଇ ବୁଲୁ ବେହେରା, ରବିନ୍ଦ୍ର ସେଠୀଙ୍କ ସମେତ ଏକ ଫ୍ଲାଟୁନ ଫୋର୍ସ, ହୋମ ଗାର୍ଡ, ଅବକାରୀ ବିଭାଗ କର୍ମଚାରୀ, ବନ ବିଭାଗ କର୍ମଚାରୀ ସଦଳବଳେ ଗଞ୍ଜେଇ ଚାଷ ହେଉଥିବା ସ୍ଥାନରେ ପହଁଚି ରାଇକିଆ ଅତିରିକ୍ତ ତହସିଲଦାର ଦେବାଶିଷ ଜେନାଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ୨ ଏକର ଜମିରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ ଲଗା ଯାଇଥିଲା ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ । ଗତ ନଭେମ୍ବର ମାସ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବର ମିଳିଥିଲା ଯାହାକୁ ପୋଲିସ ବିଭାଗ ତରଫରୁ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଥିଲା। ବହୁ ସଚେତନତା ପରେ ବି ପୁଣି ଗଂଜେଇ ଚାଷ ଚାଲିଥିବା ବେଳେ ଏକର ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଚାଷ ପାଇଁ ବ୍ୟବହୃତ ସମାଗ୍ରୀ ଜବତ କରିଛି ପୋଲିସ। ଏନେଇ ଥାନା କେସ ନମ୍ବର ୨୫୬/୨୫ ରେ ଏନଡିପିଏସ ଧାରାରେ କେସ ପଞ୍ଜୀକୃତ ହୋଇ ତଦନ୍ତ ଜାରି ରହିଛି । ଦ୍ଵିତୀୟ ଥର ସେହି ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ଜୋରସୋରରେ ତଦନ୍ତ ଚାଲିଛି ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily