ଗଜପତି,୧୧।୩(ଗିରିଧାରୀ ପରିଛା): ସ୍ବାମୀଙ୍କ ତଣ୍ଟି କାଟି ଫେରାର ଥିବା ହତ୍ୟାକରୀ ସ୍ତ୍ରୀଙ୍କୁ ମଙ୍ଗଳବାର ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ମୃତ ଜଗଦୀଶ ମେଲେକାଙ୍କ ସ୍ତ୍ରୀ ହାରି ରଇତ। ପୋଲିସ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ସିନ୍ ରିକ୍ରିଏଶନ କରାଯାଇଛି।
ମିଳିଥିବା ସୂଚାନା ମୁତାବକ, ଗତ ୮ତାରିଖରେ ପାରଳାଖେମୁଣ୍ଡି ନଗରମପଲ୍ଲି ସାହିରେ ଏକ ଭଡା ଘରେ ସ୍ବାମୀ ଜଗଦୀଶଙ୍କ ତଣ୍ଟି କାଟି ହତ୍ୟା ପରେ ସ୍ତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ଜଗଦୀଶଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହାରିଙ୍କୁ ଗିରଫ କରିଛି।
ପୋଲିସ ସିନ୍ ରିକ୍ରିଏଶନ ବେଳେ ଅଭିଯୁକ୍ତ ହାରି ହତ୍ୟା ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି। ହାରିଙ୍କ କହିବା ଅନୁସାରେ, ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ବାଡିପଟ ନାଳରୁ ଉଦ୍ଧାର କରିଛି। ହେଲେ କେଉଁ କାରଣରୁ ସ୍ବାମୀଙ୍କୁ ହତ୍ୟା କଲେ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରୁଛି। ଏପରିକି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ଛାନ୍ଭିନ ଆରମ୍ଭ କରିଛି। ଅନ୍ୟପକ୍ଷେ ପୋଲିସ ପରିବାର ଲୋକଙ୍କ ସହ ପଡ଼ୋଶୀଙ୍କ ବୟାନ ରେକର୍ଡ କରିଛି ।


