କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗ୍ରାମର ଗଙ୍ଗାଧର ପାତ୍ର ଓରଫ ଜଗା ଜଣା ବୋଲି ଜଣାପଡ଼ିଛି। ପୋଲିସ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କିଛି ସୂଚନା ଦେଇ ନ ଥିବାବେଳେ ଜଗାଙ୍କୁ ଧରିବା ପରେ ପୋଲିସ ସିନ୍ ରିକ୍ରିଏଶନ କରାଇଥିବା ବେଳେ ସିନ ରିକ୍ରିଏଶନ ସମୟରେ ପୋଲିସ ଆଗରେ ବଳାତ୍କାର ଓ ହତ୍ୟା ଘଟଣାର ସମ୍ପୂର୍ଣ୍ଣ କାହାଣୀ ବଖାଣିଛି।
ସୂଚନା ଅନୁସାରେ କଲେଜ ଛାତ୍ରୀ ଜଣକ ଗତ ୧୮ ତାରିଖ ବୁଧବାର କଲେଜରୁ ପ୍ରଥମବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇ କାମାକ୍ଷାନଗର ସହରର ଜଗନ୍ନାଥ ବଜାର ଛକରେ ଛିଡା ହୋଇଥିଲେ। ସେହି ସମୟରେ ଜଗା ଏକ କାର୍ ଯାହାର ନମ୍ବର OD 02 CX 2807 ଯୋଗେ ସେଠାରେ ପହଞ୍ଚି ଛାତ୍ରୀ ଜଣଙ୍କୁ ନେଇ ସହର ନିକଟରେ ଥିବା ପଲ୍ଲୀ ଗ୍ରାମ ଜଙ୍ଗଲକୁ ଯାଇଥିଲେ l ସେଠାରେ ମୁଖ୍ୟ ଅଭିଯୁକ୍ତ ଜଗା ଛାତ୍ରୀଙ୍କ ସହ ବଳାତ୍କାର କରିଥିଲା। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେବା ପରେ ଛାତ୍ରୀ ଜଣକଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ଯାହା ଫଳରେ କିଛି ଅଘଟଣ ଆଶଙ୍କାରେ ଜଗା, ଛାତ୍ରୀ ଜଣଙ୍କୁ କାମାକ୍ଷାନଗର ସହରକୁ ଆଣିଥିଲେ। ସହରର ମହିମାଟୁଙ୍ଗି ନିକଟରେ ପହଞ୍ଚିବା ପରେ ଛାତ୍ରୀ ଜଣକ ପାଇଁ ଜଣେ ସମ୍ପର୍କୀୟଙ୍କୁ କହି ନୂଆ ପ୍ୟାଣ୍ଟ, ସାନିଟାରି ନାପକିନ ମଗାଇ ପୁଣି ଜଙ୍ଗଲକୁ ନେଇ ଯାଇଥିଲେ। ତେବେ ଜଙ୍ଗଲରେ ପହଞ୍ଚିବା ପରେ ହଠାତ୍ ଛାତ୍ରୀଙ୍କ ସ୍ବାସ୍ଥ୍ୟବେସ୍ଥା ସଙ୍କଟାପନ୍ନ ହେବା ସହ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା l ଫଳରେ ସେଠାରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ଛାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଜଗା କୌଣସି ଉପାୟ ନପାଇ ପଲ୍ଲୀ ଗ୍ରାମ ଜଙ୍ଗଲରୁ ରାମେଶ୍ୱର ମନ୍ଦିର ରାମିଆଳ ନଦୀ ହୁଡ଼ାରେ ପହଞ୍ଚି ହୁଡ଼ା ତଳ ଜଙ୍ଗଲରେ ଛାତ୍ରୀଙ୍କ ପାଇଁ କିଣିଥିବା ନୂଆ ପ୍ୟାଣ୍ଟ, ସାନିଟାରୀ ନାପକିନକୁ ଫିଙ୍ଗି ଦେଇଥିଲେ। ପରେ ଝିଅର ମୃତ୍ୟୁ ଘଟଣା ନେଇ ସାହାଯ୍ୟ ପାଇଁ ଜଗା ତାଙ୍କ ମଉସା ଓ ଜଣେ ସମ୍ପର୍କୀୟ ଭାଇଙ୍କ ସାହାଯ୍ୟ ନେଇଥିଲେ। ଦୁହିଁଙ୍କ ସହଯୋଗରେ ସେଠାରୁ କାର୍ ଯୋଗେ ମୃତଦେହକୁ ରାତି ପ୍ରାୟ ୧୧ରୁ ୧୨ ଟା ମଧ୍ୟରେ ସାରୁଆଳି ଗ୍ରାମ ଜଙ୍ଗଲରେ ଫିଙ୍ଗି ଫିଙ୍ଗି ଦେଇ ମୁଖ୍ୟ ଅଭିଯୁକ୍ତ ଜଗା କେଉଁଆଡ଼େ ଫେରାର ହୋଇଯାଇଥିଲେ।
ପରେ ସକାଳୁ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଥିଲା। ଘଟଣା ଘଟିବାର ତିନିଦିନ ପରେ ଆଜି ଅର୍ଥାତ୍ ଶନିବାର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର (ଜଗା )ଙ୍କୁ ଢେଙ୍କାନାଳ-କେନ୍ଦୁଝର ଜିଲା ସୀମାନ୍ତ ଜଣେ ସମ୍ପର୍କୀୟଙ୍କ ଘରୁ ଧରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ କାର୍କୁ ପୋଲିସ ଜବତ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏଶନ କରାଇଛି ପୋଲିସ।
ଝିଅର ମୃତ୍ୟୁ ପରେ ଜଗାକୁ ସହଯୋଗ କରିଥିବା ମଉସା ପରଜଙ୍ଗ ଥାନା ଅଞ୍ଚଳର ଜଣେ ଅବସରରପ୍ରାପ୍ତ ଶିକ୍ଷକ ଓ ଅନ୍ୟ ଜଣେ କାମାକ୍ଷାନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଘଟଣା ସମ୍ପର୍କରେ ପୋଲିସ କିଛି ସୂଚନା ଦେଇ ନ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ଜଗା ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଜଗା ପେସାରେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି।