ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରି ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି । ସୂଚନା ମୁତାବକ, ମଙ୍ଗଳବାର ଖେରଙ୍ଗ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ତାଙ୍କ ଗାଡ଼ିରେ ଯାଉଥିବା ସମୟରେ କିଛି ସ୍ଥାନୀୟ ଯୁବକଙ୍କୁ ସାଇଟ୍‌ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଘଟଣା ପରେ ଗତରାତିରେ ଚାନ୍ଦବାଲି ପୋଲିସ ସାଇଟ୍‌ ମାଡ଼ ଖାଇଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ସ୍ଥାନୀୟ ଭାଜପା ନେତା ପ୍ରଶାନ୍ତ ମାଝୀଙ୍କୁ ମଧ୍ୟ ଗିରଫ କରିଥିଲା ।

ଏହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକମାନେ ମୁଖ୍ୟ ରାସ୍ତାରେ ଧାରଣାରେ ବସି ରାସ୍ତାରୋକୋ କରୁଥିବା ଦେଖାଯାଇଛି । ସ୍ଥାନୀୟ ସରପଞ୍ଚଙ୍କୁ ଶୀଘ୍ର ଗିରଫ ଦାବି କରିଛନ୍ତି । ସରପଞ୍ଚ ଗିରଫ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ସେମାନେ ଜିଦରେ ଅଟଳ ରହିଛନ୍ତି । ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ପହଞ୍ଚିନଥିବାରୁ ଉତ୍ତେଜନା ଅଧିକ ବଢ଼ୁଥିବା ଦେଖାଯାଇଛି । ଅପରପକ୍ଷେ ରାସ୍ତାରୋକୋ ହୋଇଥିବାରୁ ଦୁଇ ପାର୍ଶ୍ୱରେ ଗାଡ଼ି ଲମ୍ବା ଲାଇନ୍‌ରେ ଅଟକି ରହିଥିଲା । ପ୍ରଶାସନିକ ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ଓ ସରପଞ୍ଚଙ୍କୁ ଗିରଫ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

 

Dharitri – Odisha’s No.1 Odia Daily

Share