ସୁରଟ: ଗୁଜରାଟର ସୁରଟରେ ବିବାହ ଭୋଜିକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ପୋଲିସ ବୁଝାଶୁଝା କରି ଥାନାରେ ବିବାହ ସମ୍ପନ୍ନ କରାଇଛି।
ସୁରଟର ବାର୍ଛାସ୍ଥିତ ଲକ୍ଷ୍ମୀ ନାରାୟଣ ହଲ୍ରେ ବିହାରର ବାସିନ୍ଦା ରାହୁଲ ପ୍ରମୋଦ ମହୋତୋ ଏବଂ ସ୍ଥାନୀୟ ନିବାସୀ ଅଞ୍ଜଳି କୁମାରୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହେଉଥିଲା। ତେବେ ବିବାହ ଭୋଜିକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଜିରେ ଆବଶ୍ୟକ ମୁତାବକ ସୁସ୍ବାଦୁ ଖାଦ୍ୟ ନ ଥିବା କହି ବରପକ୍ଷ ଅସନ୍ତୋଷ ପ୍ରକାଶ କରିବା ସହ ବିବାହ ସ୍ଥଳରୁ ଫେରିଯିବାକୁ କନ୍ୟା ପକ୍ଷଙ୍କୁ ଧମକ ଦେଇଥିଲେ। ବିବାହ ଭାଙ୍ଗିଯାଉଥିବାର ଅନୁମାନ କରି ଅଞ୍ଜଳି ଓ ତାଙ୍କ ପରିବାର ତୁରନ୍ତ ପୋଲିସର ସାହାଯ୍ୟ ଲୋଡ଼ିଥିଲେ। ସୁରଟ ପୋଲିସ ଡେପୁଟି କମିଶନର (ଡିସିପି) ଆଲୋକ କୁମାର କହିଛନ୍ତି, ରାହୁଲ ବିବାହ ପାଇଁ ପ୍ରସ୍ତୁତ ଥିବା ଅଞ୍ଜଳି କହିଥିଲେ। ହେଲେ ତାଙ୍କ ପରିବାର ବିବାହ ଭୋଜିରେ ଅସନ୍ତୋଷ ପ୍ରକାଶ କରି ବିବାହକୁ ଭାଙ୍ଗିବାକୁ ବସିଥିଲେ। ଏଭଳି ସ୍ଥିତିରେ ପୋଲିସ ଉଭୟ ପକ୍ଷକୁ ଥାନାକୁ ଡାକି ବିବାଦକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। ପୋଲିସର ହସ୍ତକ୍ଷେପ ଓ ବହୁ ବୁଝାଶୁଝା ପରେ ରାହୁଲଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ।


