ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ ହୋଇଯାଇଛି। ସୃଷ୍ଟି ଫାଉଣ୍ଡେଶନର ଅଧ୍ୟକ୍ଷା ଜିତାରାଣୀ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅତିଥିମାନେ ‘ଚୟନିକା’ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଆଲୋଚକ ଭାବେ କବି ଓ ଗାଳ୍ପିକ ଡଃ ଅଶୋକ ମହାପାତ୍ର ଏବଂ ସୌଭାଗ୍ୟବନ୍ତ ମହାରଣା ଯୋଗଦେଇ କବିତା ସଂକଳନର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ରୋହିତ ଦାଶଙ୍କ କାବ୍ୟଯାତ୍ରାର ଦୃଷ୍ଟି ଓ ଦିଗନ୍ତ ଉପରେ ଆଲୋକପାତ କରିଥିଲେ। ସମାଲୋଚକ ଡଃ ରଘୁନାଥ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କବି ଆଲୋକ ଦାଶ, ଅନୁବାଦକ ସୁକୋମଳ ଦାଶ ଓ ଗୀତିକାର ପ୍ରସିମ ସ୍ବରୂପ ଉନ୍ମୋଚିତ କବିତାରୁ କବିତା ପାଠ କରିଥିଲେ। ଗାଳ୍ପିକା ସାଗରୀକା ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କବି ଦିବ୍ୟ ଦେବତା, ମନୋରଞ୍ଜନ ସାହୁ, ଅଞ୍ଜଳି ମହତ୍ତମ, ନବ ମହତ୍ତମ, ଦାମୋଦର ସାହୁ,ପଞ୍ଚାନନ ବାରିକ,ବିଶ୍ୱନାଥ ସାହୁ ପ୍ରମୁଖ କବି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


