ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ ଉଦାହରଣ ସାଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିଷ୍ଠିତ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ସୁଜାତାଙ୍କ ଉଦ୍ୟମ ଓ ସଫଳତା ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ୨୦୨୨ ମସିହାରୁ ମାଛ ଚାଷ ଆରମ୍ଭ କରିଥିବା ସୁଜାତା ଆଜି କେବଳ ନିଜେ ସ୍ବାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିଛନ୍ତି।
ସୁଜାତା କହିଛନ୍ତି ଯେ, କେଜ କଲଚର (Cage Culture) ମାଧ୍ୟମରେ ସେ ଏହି ଚାଷ ଆରମ୍ଭ କରିଥିଲେ। ସରକାରଙ୍କ ତରଫରୁ ପ୍ରାୟ ୩୨ ଲକ୍ଷ ୪୦ ହଜାର ଟଙ୍କାର ସବସିଡି ସହାୟତା ତାଙ୍କୁ ଏହି ବ୍ୟବସାୟକୁ ଆଗକୁ ନେବାରେ ବହୁତ ସାହାଯ୍ୟ କରିଛି। ବର୍ତ୍ତମାନ ସେ ବାର୍ଷିକ ୨୫ ରୁ ୩୦ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ ଏଥିରୁ ବର୍ଷକୁ ୬ରୁ ୭ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ମୁଖ୍ୟତଃ ‘ତିଲାପିଆ’ କିସମର ମାଛ ଚାଷ କରୁଥିବା ବେଳେ ତାଙ୍କ ଉତ୍ପାଦିତ ମାଛ ରାୟପୁର, କୋଲକାତା ଓ ବାଙ୍ଗାଲୋର ଭଳି ବଡ଼ ସହରକୁ ରପ୍ତାନୀ ହେଉଛି। ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିବାରୁ ସେ ବହୁତ ଖୁସି ଅଛନ୍ତି ଏବଂ ଆଗକୁ ଏହି ବ୍ୟବସାୟକୁ ଆହୁରି ବଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି।