ଭୁବନେଶ୍ୱର,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। SCB ଆଗରେ କାନ୍ଦବୋବାଳି ପଡ଼ିଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପିଏମ୍ଓ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି ଯେ, ଓଡ଼ିଶାର କଟକରେ ହସ୍ପିଟାଲରେ ଘଟିଥିବା ଦୁର୍ଘଟଣା ଗଭୀର ଯନ୍ତ୍ରଣାଦାୟକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।
SCB ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ ବୁଲି ଦେଖିବା ପରେ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।