Students in exam hall at a college in Andheri as HSC examination started on Tuesday. Express Photo by Santosh Parab. 28.02.2017. Mumbai.
ଭୁବନେଶ୍ୱର, ୪।୧୦(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଯୁକ୍ତ୨ ପରୀକ୍ଷାକୁ ନୂଆ ପଦ୍ଧତିରେ କରିବାକୁ ନିଷ୍ପତ୍ତି ନେଇଛି। ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ। ତିନି ମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷାଗୁଡ଼ିକରେ ପ୍ରଶ୍ନ କିପରି ଆସିବ ତାହା ବି ସ୍ପଷ୍ଟ କରାଯାଇଛି। ୬ଟି ୧ ମାର୍କ ବିଶିଷ୍ଟ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ, ଯେଉଁଥିରୁ ପରୀକ୍ଷାର୍ଥୀ ତିନୋଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ପରୀକ୍ଷାର୍ଥୀ ୨ଟିର ଉତ୍ତର ଦେବେ। ମୋଟ୍ ୪୫ ମିନିଟ୍ରେ ଏହି ପରୀକ୍ଷା ହେବ। ତେବେ ପ୍ରଶ୍ନ ପଢ଼ି ବୁଝିବା ପାଇଁ ଅତିରିକ୍ତ ୫ ମିନିଟ୍ ସମୟ ଦିଆଯିବ। ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷା କଲେଜ ସ୍ତରରେ ହେବ। ସିଏଚ୍ଏସ୍ଇ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ଯେଉଁ ପରୀକ୍ଷା ହେବ ତା’ର ଫଳକୁ ଅନ୍ଲାଇନ୍ ଜରିଆରେ ସିଏଚ୍ଏସ୍ଇକୁ ପଠାଯିବ। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ। ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବ ନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍ରେ ଶିକ୍ଷାଦାନ ହେବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।