କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ନେଇ ଯୋଜନା ପ୍ରସ୍ତୁତ, ୨୪ରେ ଗଠନ ହେବ…

ଭଞ୍ଜନଗର,୨୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରେ ପରିଚାଳନା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି। କମିଟି ଏଣିକି ମନ୍ଦିର କଥା ବୁଝିବ। ଚେୟାରମ୍ୟାନ ତଥା ଉପଜିଲାପାଳ ଏବଂ ସଭାପତି ତଥା ତହସିଲଦାର ପୂର୍ବଭଳି ନିଜ ଦାୟିତ୍ୱ ତୁଲାଇବେ। ନୂତନ ପରିଚାଳନା କମିଟି ପ୍ରଶାସନର ସହଯୋଗ ନେଇ ମନ୍ଦିର ପରିଚାଳନା କରିବ। ଏଥିସହ କମିଟି ମନ୍ଦିରର ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବ। କମିଟିରେ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ଥାନିତ କରାଯିବ।

ସୂଚନାଯୋଗ୍ୟ, ଭଞ୍ଜ ରାଜବଂଶ ପକ୍ଷରୁ ନିଜର ରାଜଧାନୀ କୁଲାଡ଼ଠାରେ ବହୁବର୍ଷ ପୂର୍ବେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ସେ ସମୟରେ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଏବଂ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ଦାନ କରାଯାଇଥିଲା। କିନ୍ତୁ ସମସ୍ତ ଅଳଙ୍କାର କିଛି ବର୍ଷ ପୂର୍ବେ ଚୋରି ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ସୁନା ଅଳଙ୍କାର ପୋଲିସ ଉଦ୍ଧାର କରି ପାରିନାହିଁ। ଏଥିସହ ମନ୍ଦିର ଜମି ଅନେକ ଲୋକ ଜବରଦଖଲ କରି ରଖିଛନ୍ତି। ଫଳରେ ମନ୍ଦିର ପରିଚାଳନାରେ ଅସୁବିଧା ହେଉଛି।
ଏବେ ବି ରାଜବଂଶ ର ପ୍ରତିନିଧି ପହଣ୍ଡି ସମୟରେ ଛେରାପହଁରା କରନ୍ତି। କିନ୍ତୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ବୁଝୁଛି। ତେଣୁ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ବର୍ତ୍ତମାନ ଚେୟାରମ୍ୟାନ ଅଛନ୍ତି। ତହସିଲଦାର ସଭାପତି ଅଛନ୍ତି। କିନ୍ତୁ ବିଗତ କିଛି ଦିନ ପୂର୍ବେ ମନ୍ଦିର ପୂଜାରୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବିବାଦ ଦେଖାଦେଇଥିଲା। କଥା ଯାଇ ତହସିଲଦାରଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଅତିରିକ୍ତ ତହସିଲଦାର ଅବିନାଶ ମହାର ଏଥିରେ ହସ୍ତକ୍ଷେପ କରି ସମସ୍ୟାକୁ ଟାଳି ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନାରେ ସର୍ବସାଧାରଣଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅତିରିକ୍ତ ତହସିଲଦାର ଅବିନାଶ ମହାର ବର୍ତ୍ତମାନ ପରିଚାଳନା କମିଟି କିଭଳି ଗଠନ ହେବ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୨୪ରେ କର୍ମକର୍ତ୍ତା ନିର୍ବାଚନ ହେବ। ଏହାପରେ କମିଟିର ନିଜସ୍ବ କାର୍ଯ୍ୟାଳୟ ଖୋଲିବ। ମନ୍ଦିର ପରିଚାଳନା କିଭଳି ଶାନ୍ତିଶୃଙ୍ଖଳାର ସହ ହେବ ଏବଂ ସମସ୍ତ ଉତ୍ସବ ପୂର୍ବଭଳି କିଭଳି ହେବ ସେଥିପ୍ରତି କମିଟି ଧ୍ୟାନ ଦେବ।