ପୀୟୂଷ ଖୋଲିଲେ ଗୁମର: ବାଟ ନପାଇ ଯେଉଁ ସମସ୍ୟା ପାଇଁ ବିଶ୍ରାମ ନେଇଥିଲ ସେ ହୋଇଗଲା …

ଭୁବନେଶ୍ୱର,୨୪।୬: ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ମୁହାଁମୁହିଁ ଯାତ୍ରା ମାଲିକ। ପୁଣି ୫ ବର୍ଷ ପାଇଁ ସିଂହବାହିନୀରେ ରହିବା ଚର୍ଚ୍ଚାକୁ ନେଇ ବର୍ଷିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ । ପୂର୍ବରୁ ବର୍ଷେ ବିଶ୍ରାମ ନେବାକୁ ପୀୟୂଷ ଘୋଷଣା କରିଥିଲେ । ବର୍ତ୍ତମାନ ସିଂହବାହିନୀ ସହ ରହିବା ନେଇ ପୀୟୂଷ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରେସମିଟ ଯୋଗେ ସେ ସୂଚନା ଦେଇଛନ୍ତି ।

ଏହି ପ୍ରସଙ୍ଗରେ ପୀୟୂଷ କହିଛନ୍ତି, “ଯେତେବେଳେ ମୁଁ ଅପେରା ସୂର୍ଯ୍ୟମନ୍ଦିରରେ କାମ କରୁଥିଲି ସେତେବେଳେ ମୋ ପାଇଁ ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମଧ୍ୟରେ ବିବାଦ ଉପୁଜିଥିଲା । ଅର୍ଥ କାରବାରକୁ ନେଇ ଏହି ବିବାଦ ହୋଇଥିଲା । ଯାହାର ସମାଧାନର ବାଟ ନ ପାଇ ମୁଁ ବର୍ଷେ ବିଶ୍ରାମ ନେବାକୁ ଘୋଷଣା କରିଥିଲି । ଘରେ ରହିବାକୁ ନିଷ୍ପତ୍ତି ନେଇଥିଲି । ସ୍ବାାସ୍ଥ୍ୟଗତ କାରଣ ଦର୍ଶାଇ ବିଶ୍ରାମ ନେବି କହିଥିଲି । ଯଦି ମାଲିକମାନେ ନିଷ୍ପତ୍ତି ନିଅନ୍ତି ତାହେଲେ କାମ କରିବି କହିଥିଲି । ହେଲେ ଦୁଇ ପାର୍ଟିର ମାଲିକ ବର୍ତ୍ତମାନ କହୁଛନ୍ତି ପୀୟୁଷ ସୁସ୍ଥ ହେଲେ ଆମ ପାର୍ଟିକୁ ଆସିବ । ଯେଉଁ ସମସ୍ୟା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଥିଲି ଆଜି ପୁଣି ସେହି ସମସ୍ୟା ଉପୁଜିଛି ।

ଯେଉଁମାନଙ୍କୁ ନେଇ ବିବାଦ ଉପୁଜିଛି, ସେମାନେ ମୁଁ ଶବ୍ଦ ଛାଡିଦେଲେ ସବୁ ସମାଧାନ ହୋଇଯିବ । ମୁଁ ଛାଡି ଆମେ ଶବ୍ଦ ବ୍ୟବହାର କରିବା ଦରକାର । ମୋ ଯାତ୍ରା ପାର୍ଟି ନୁହେଁ, ଆମ ଯାତ୍ରା ପାର୍ଟି ବୋଲି ସେମାନେ ଭାବିବା ଆବଶ୍ୟକ । ମାଲିକ ସଂଘକୁ ସମ୍ମାନ ଦେବା କଳାକାରର ଧର୍ମ । ଯେଉଁଥିପାଇଁ ମୁଁ ଗୋଟିଏ ବର୍ଷ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲି । ଆସନ୍ତା ୨୦୨୬-୩୦ ଯାଏଁ ମୁଁ ସିଂହବାହିନୀ ସହ ଅନୁବନ୍ଧିତ ହୋଇଛି । ଯଦି ମାଲିକ ସଂଘ କିଛି ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବି ।

ସେପଟେ ଫିଲ୍ମରେ ଅଭିନୟ କରିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଉତ୍ତର ରଖିଛନ୍ତି ପୀୟୁଷ । ସେ କହିଛନ୍ତି, ଯାତ୍ରା ଓ ଫିଲ୍ମ ଭିନ୍ନ ଜିନିଷ । ଯଦି ଦର୍ଶକଙ୍କ ଭଲପାଇବା ଥିବ ଓ ପ୍ରଯୋଜକ ମୋତେ ନେଲେ ଯଦି ଲାଭବାନ ହେବେ ଭାବିବେ, ମୋର ଅଭିନୟ କରିବାରେ ଅସୁବିଧା କ’ଣ?

Share