ଗଞ୍ଜାମ,୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ୍କୁ ବଡ଼ ସଫଳତା ମିଳିଛି। ପୋଲିସ୍ ଏହି ହତ୍ୟାକାଣ୍ଡର ମୁଖ୍ୟ ସାର୍ପସୁଟର୍ ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣି ଅଟକ ରଖିଛି।
ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ମଧ୍ୟ ପୋଲିସ୍ ଜବତ କରିଛି। ପୂର୍ବରୁ ପୋଲିସ ଏହି ଅସ୍ତ୍ରକୁ ପୁରୀ ସମୁଦ୍ର ବେଳାଭୂମିର ବାଲି ତଳୁ ଜବତ କରିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଅସ୍ତ୍ରଟିକୁ ପୁରୀରେ ଲୁଚାଇ ଦେଇଥିବା ସୂଚନା ମିଳିଛି।
ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁକୁ ଧରିବା ସହ ପୋଲିସ୍ ପୁରୀରୁ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଉଠାଇ ଆଣି ଜେରା କରୁଛି। ଘଟଣାକୁ ୧୫ ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ମୁଖ୍ୟ ସାର୍ପସୁଟର୍ ଅଟକ ହେବା ପରେ ମାମଲାର ରହସ୍ୟ ଖୁବ୍ ଶୀଘ୍ର ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି। ଏପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ୍ ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।


