କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ। ଶାଳ, ପିଆଶାଳ, ଶାଗୁଆନ ଆଦି ବୃକ୍ଷରାଜିରେ ପରିପୂର୍ଣ୍ଣ ଏହି ବନ। ଶାନ୍ତିବନରେ ପ୍ରବେଶକଲା ମାତ୍ରେ ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଏକ ଆଧ୍ୟାତ୍ମିକ ଭାବନା। ମନର ପରିକଳ୍ପନାରେ ଭାସିଉଠେ ଦ୍ୱାପରଯୁଗର ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ପର୍ବତର ଚିତ୍ରକଳା। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସୁମଧୁର ସ୍ବରରେ ଶାନ୍ତି ବନ ଆଣିଦିଏ ପ୍ରଶାନ୍ତି। ଏମିତି ଏକ ସୁନ୍ଦର ସବୁଜ ବନାନୀ ମଧ୍ୟରେ ଗିରିଗୋବର୍ଦ୍ଧନ ପୀଠ ବିରାଜିତ। ସମ୍ମୁଖରେ ରହିଛି ଏକ ବିରାଟ ପୋଖରୀ ଓ ପୋଖରୀ ଭିତରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ରହିଛି। ଏହାବ୍ୟତୀତ ସୁନ୍ଦର ଉଦ୍ୟାନ (ପାର୍କ) ମଧ୍ୟ ରହିଛି। ୧୯୮୫ ମସିହାରେ ଉଭୟ ମ. ରାମପୁର ଓ କର୍ଲାମୁଣ୍ଡା ଅଞ୍ଚଳବାସୀଙ୍କ ଉଦ୍ୟମରେ ୯୯ ଏକର ଜମିରେ ସୃଷ୍ଟି ହୋଇଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ। ୧୯୯୧ ମସିହାରୁ ଏଠାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଆସୁଛି। ଶାନ୍ତିବନରେ ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକମାନେ ଆନନ୍ଦରେ ଭୋଜିଭାତ କରି ଫେରିଥାନ୍ତି।
କିପରି ଯିବେ…..
ଭୁବନେଶ୍ୱରଠାରୁ କେସିଙ୍ଗାକୁ ବସ୍ ଓ ଟ୍ରେନ୍ର ସୁବିଧା ରହିଛି। କେସିଙ୍ଗାଠାରୁ ପ୍ରାୟ ୩୦ କି.ମି. ଦୂର ୫୯ ଜାତୀୟ ରାଜପଥରେ ଜୋରାଡ଼ବରା ଛକରୁ ୨ କି.ମି. ଗଲାପରେ ଶାନ୍ତି ବନ ପଡ଼େ। ଏଥିପାଇଁ କେସିଙ୍ଗାରୁ ବସ୍, କାର୍ ଯୋଗେ ଆସିବାକୁ ହେବ। ଭୁବନେଶ୍ୱରଠାରୁ ମ. ରାମପୁର ଓ ଜୋରାଡ଼ବରା ଛକ ପର୍ଯ୍ୟନ୍ତ ବସ୍ ସୁବିଧା ରହିଛି।