ରାଇକିଆ,୧୨/୧-(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ମଣ୍ଡାସରୁ ପର୍ଯ୍ୟଟନସ୍ଥଳୀରେ ମାରପିଟ୍ ।ରବିବାର ଅପରାହ୍ନରେ ରାଇକିଆ ଅଞ୍ଚଳର ଏକ ପାରିବାରିକ ଗ୍ରୁପ୍ ପିକନିକ କରିବାକୁ ଯାଇଥିବା ବେଳେ କିଛି ମଦ୍ୟପ ଯୁବକ ମରଣାନ୍ତକ ଆକ୍ରମଣ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ଏହାର ଖବର ପାଇ ରାଇକିଆ ପୋଲିସ ସେମାନଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଛି । ଆକ୍ରମଣର ଶିକାର ହୋଇଥିବା ପ୍ରଶାନ୍ତ ଦଳେଇ ଏବଂ ଗୁରୁତର ଆହତ ହୋଇଥିବା ସୌମ୍ୟ ରଂଜନ ମହାନ୍ତି ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଭୁବନେଶ୍ୱରରୁ ଆସିଥିବା ସଂପୃକ୍ତ ଯୁବକମାନେ ସେଠାରେ ମଦ୍ୟପାନ କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଥିଲେ । ଉକ୍ତ ସ୍ଥାନରେ ଶିଶୁ ଓ ମହିଳାମାନେ ଥିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ । ଏହାପରେ ମଦୁଆ ଯୁବକମାନେ ଉତ୍ୟକ୍ତ ହୋଇ ସଂଘବଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ସୌମ୍ୟଙ୍କ ସମେତ ପିକନିକକୁ ଯାଇଥିବା ଏକାଧିକ ବ୍ୟକ୍ତି ଲହୁ ଲୁହାଣ ହୋଇଥିଲେ । ଖବର ପାଇଁ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛନ୍ତି । ଏ ନେଇ ଥାନାରେ କେସ ନଂ ୪/୨୬ ରେ ଏଥିରେ ସଂପୃକ୍ତ ଥିବା ୭ ଜଣଙ୍କ ମାମଲା ରୁଜୁ କରାଯାଇଛି ।


