ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨ ଜଣ ଦୁର୍ବୃତ୍ତ ଏକ ସ୍କର୍ପିଓରେ ଆସି ଚୋରି କରିନେଇଛନ୍ତି। ଚୋରି ବେଳର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ଏନେଇ ପୋଲିସ ଏକ ମାମଲା ନଂ. ୧୭/୨୬ ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଚାଳକ ବଳରାମ ବାଗ ରାତି ୧୦ଟାରେ ଘର ସମ୍ମୁଖରେ ପିକ୍‌ଅପ୍‌ ରଖିଥିଲେ। ସକାଳେ ସାଢ଼େ ୬ଟା ସମୟରେ ଗାଡ଼ି ନ ଥିବା ଅମିତ ଦେଖିଥିଲେ। ସିସିଟିଭି ଫୁଟେଜ ଦେଖିବା ପରେ ଗାଡ଼ି ଚୋରି ହୋଇଥିବା ଜାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ ଅନୁଯାୟୀ ରାତି ସାଢ଼େ ତିନିଟା ବେଳେ ଏକ ସ୍କର୍ପିଓରେ ଚୋର ଦଳ ଆସି ଘରଠାରୁ କିଛି ମିଟର ଦୂରରେ ଗାଡ଼ି ଛିଡ଼ା କରିଥିଲେ। ଏହାପରେ ୨ ଜଣ ଆସି ପିକ୍‌ଅପ ଚୋରି କରି ନେଇଯାଇଥିଲେ। ଥାନା ଆଇଆଇସି ମହେନ୍ଦ୍ର ସାହୁ ରାସ୍ତାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ଦେଖବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।