ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍ଅପ୍କୁ ପୋଲିସ ଜବତ କରିଛି। ଏହି ଘଟଣାରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଆଠମଲ୍ଲିକ ଥାନା ଗୋପାଳପୁର ଗ୍ରାମର ନବୀନ କ୍ଷେତୀ (୩୬) ଏବଂ ରେଢ଼ାଖୋଲ ଥାନା ସଦର ଦେହୁରୀ ସାହିର ଘନଶ୍ୟାମ ମହାକୁଡ଼ (୫୨)ଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରାଯାଇଛି। ନାକଟିଦେଉଳ ଥାନା ଅଞ୍ଚଳରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍ଅପ୍ (ଓଡି-୧୫-୮୧୪୭) ସିଆରିମାଳିଆ ଅଞ୍ଚଳକୁ ଆସୁଥିବା ବେଳେ ଖିଲେଇ ନିକଟରେ କୁଣ୍ଢେଇଗୋଳା ପୋଲିସ ଅଟକାଇ ଯାଞ୍ଚ କରିଥିଲା। ପଥର କୋଇଲା ଚାଲାଣ ନେଇ କୌଣସି ବୈଧ କାଗଜପତ୍ର ନ ଥିବାରୁ ଉକ୍ତ ପିକ୍ଅପ୍ ଭ୍ୟାନ୍ ଜବତ କରି ଚୋରା ଚାଲାଣ ଅଭିଯୋଗରେ ଉକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ ଏକ ମାମଲା ରୁଜୁ କରିଥିଲା। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।