ଅଶ୍ଳିଳ କମେଣ୍ଟ ପରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ବଳାତ୍କାର, ବନ୍ଧା ହେଲେ SI

ଫୁଲବାଣୀ, ୧୪।୮(ରାକେଶ କୁମାର ରାଉତ)-ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ କନ୍ଧମାଳ ଜିଲା କୋଟଗଡ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଗୁରୁବାର ଗିରଫ ହୋଇଛନ୍ତି। ସେ ହେଲେ ସ୍ମୃତି ସାଗର ସାମଲ। ତାଙ୍କ ଘର କଟକରେ। କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାନୁଯାୟୀ, ସ୍ମୃୃତି ପୂର୍ବରୁ ଗୋଚ୍ଛାପଡା ଥାନାରେ କାର୍ଯ୍ୟ କରୁଥିଲେ। ଗୋଚ୍ଛାପଡା ଥାନା ପାଖରେ ଜଣେ ମହିଳାଙ୍କ ଭେରାଇଟି ଷ୍ଟୋର ରହିଛି। ଏହି ମହିଳାଙ୍କ ସ୍ବାମୀ  ଜଣେ ହୋମଗାର୍ଡ। ସ୍ମୃତି ପ୍ରତ୍ୟେକ ଦିନ ଦୋକାନକୁ ଯାଇ ସମ୍ପୃକ୍ତା ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ କରୁଥିଲେ। ମୁଁ ଜଣେ ଅଫିସର। ତୁମ ସ୍ବାମୀ ହୋମଗାର୍ଡ। ମୋର ଅଧିକ ଦରମା। ଏପରିକି ତାଙ୍କୁ ବିବାହ କରିବାକୁ କହିବା ସହ ଅନ୍ୟ ଇଂଗିତ କରୁଥିଲେ। ୨୦୨୪ ମେ’ରେ ଦୋକାନରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ପ୍ରଲୋଭିତ କରି ବଳାତ୍କାର କରିଥିଲେ। ଏହାପରେ ବିଭିନ୍ନ ସମୟରେ ବାରମ୍ବାର ବଳାତ୍କାର କରି ଆସୁଥିଲେ। ମହିଳା ବିରୋଧ କଲେ ତାଙ୍କ ସ୍ବାମୀକୁ ମାରିଦେବି ବୋଲି ଧମକ ଦେଉଥିଲେ। ଏ ନେଇ ମହିଳା ଜଣକ ତତ୍କାଳୀନ ଥାନାଧିକାରୀଙ୍କୁ ଜଣାଇଥିଲେ। ହେଲେ ଏସ୍‌ଆଇ ସ୍ମୃତିଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିଲା । ଗତ ବୁଧବାର ପୁଣି ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିଲେ। ପୋଲିସ ଏ ନେଇ ୧୮୬/୨୫ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଶେଷରେ ଗୁରୁବାର ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ତେବେ ବୁଧବାର ଆମେ ସମ୍ପୃକ୍ତ ଏସ୍‌ଆଇଙ୍କ ସହ ଫୋନ ଯୋଗେ କଥା ହୋଇଥିଲ। ସେ କହିଥିଲେ, ମୁଁ ଗୋଚ୍ଛାପଡା ଥାନାରେ କାମ କଲା ବେଳେ ବହୁ ଗଞ୍ଜେଇ ଜବତ କରିଛି ା ହୋମଗାର୍ଡ ମାନେ ପ୍ରତ୍ୟେକ୍ଷ ଭାବେ ଗଞ୍ଜେଇ କାରବାରରେ ଲିପ୍ତ ଅଛନ୍ତି।ଏ କଥା ମୁଁ ଏସ୍‌ପିଙ୍କୁ ଜଣାଇଛି। ମୋ ଉପରେ ଆକ୍ରୋଶ ରଖି ସେହି ମହିଳା ଏଭଳି କରିଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଥିଲେ।

Share
Tags: ganjamodisha