ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଲା ଫୁଲବାଣୀ, ଏତିକି ତଳେ ତାପମାତ୍ରା

ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ୧୦ ଡିଗ୍ରୀ ତଳେ ରାଜ୍ୟର ୫ ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ରହିବା ସହ ରାଜ୍ୟର ସବୁଠୁ ଥଣ୍ଡା ସହର ରହିଥିଲା।

ଅନ୍ୟପକ୍ଷେ ରାଉରକେଲାରେ ୭.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଝାରସୁଗୁଡ଼ା ୭.୭, ସୋନପୁର ୯, ଭବାନୀପାଟଣା ୯.୯, ସୁନ୍ଦରଗଡ଼ ୧୦.୨, କେନ୍ଦୁଝର ୧୦.୬ ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ରାତି ତାପମାତ୍ରା ୧୩. ୨ ଏବଂ କଟକରେ ୧୩.୫ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାରଠାରୁ ଶୀତ କମିବା ସହ ରାତିରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସମ୍ଭାବନା ରହିଛି। ୨୨ ଓ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ସମ୍ଭାବନା ରହିଛି। ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ତାପମାତ୍ରା ବଢ଼ିବ। ଗୁରୁଚାପ ବଳୟ ହେତୁ ଘନକୁହୁଡ଼ି ସମ୍ଭାବନା ରହିଛି।

Share