ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ବୁଲା ବିକାଳୀ। ସେମାନଙ୍କ ଗତିବିଧି ଉପରେ ପୋଲିସର ନଜର ପଡୁ ନ ଥିବା ଯୋଗୁ ଦିନରେ ବୁଲା ବିକାଳୀ ଓ ସଂଧ୍ୟା ହେଲେ ଲୋକଙ୍କୁ ଲୁଟ ପାଇଁ ଟାର୍ଗେଟ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଲୋକମାନେ ପୋଲିସକୁ ସୂଚନା ଦେବା ବେଳେ ଘଟଣାସ୍ଥଳରୁ ସେମାନେ ବାଇକରେ ଫେରାର ହୋଇଯାଉଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ଶନିବାର ସଂଧ୍ୟାରେ ଦାରିଙ୍ଗବାଡି ଚାରି ଛକର ଜନଗହଳିପୂର୍ଣ୍ଣ ସ୍ଥାନରେ ୨ ଜଣ ବାହାର ରାଜ୍ୟର ବୁଲା ବିକାଳୀ ନଜର ଆସିଥିଲେ। ସେମାନେ ନିଜ ଦରଭଙ୍ଗା ବାଇକକୁ ରଖି କିଛି ଦୂରରେ ଲୁଚି ରହିଥିଲେ। କାରଣ ସେମାନେ ଅନ୍ୟ ଏକ ବାଇକ ଉପରେ ନିଜ ବାଇକକୁ ଏପରି ରଖିଥିଲେ ଯେ ଉକ୍ତ ବ୍ୟକ୍ତି ନିଜ ବାଇକ ବାହାର କରିବା ବେଳେ ସେମାନଙ୍କ ବାଇକଟି ପଡ଼ିଯିବ। ସେଭଳି ହେବା ପରେ ସେମାନେ ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ପିଛା କରି ବାଇକ ବାଲାଙ୍କୁ ଅଟକାଇ ତାଙ୍କ ବାଇକ ଭାଙ୍ଗିଦେଇଛ କହି ଧମକ ଦେବା ସହ ଅର୍ଥ ଦାବି କରିଥିଲେ। ଏହାପରେ ଉକ୍ତ ବ୍ୟକ୍ତି ସେ ଉକ୍ତ ବାଇକ ପକାଇନାହାନ୍ତି କହିବା ସହ ପୋଲିସକୁ ଫୋନ କରିଥିଲେ। ଏହା ଦେଖି ଉକ୍ତ ୨ ଫେରିବାଲା ଘଟଣାସ୍ଥଳରୁ ଦ୍ରୁତ ଗତିରେ ବାଇକ ଧରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ସେମାନଙ୍କ ସମ୍ପର୍କରେ ଅନେକ ଆଲୋଚନା ହେଉଛି। ସେମାନେ ଅନ୍ୟ ରାଜ୍ୟ କିମ୍ବା ଦେଶର ଲୋକ ହୋଇଥାଇପାରନ୍ତି ବୋଲି ସନ୍ଦେହ ବୃଦ୍ଧି ପାଇଛି। ପୋଲିସ ଏଭକି ବୁଲା ବିକାଳୀଙ୍କ ଉପରେ ନଜର ରଖିବା ଦରକାର ବୋଲି ବୁଦ୍ଧିଜୀବି ମହଲରେ କୁହାଯାଉଛି।
Dharitri – Odisha’s No.1 Odia Daily