ପେଟ୍ରୋଲ ୧୧ ପଇସା ବଢ଼ିଲା

ଭୁବନେଶ୍ୱର,୨୯ା୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଚାଲିଛି। ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁ ଲୋକମାନେ ଆଶଙ୍କାରେ ଥିବା ବେଳେ ତୈଳ ଦର ବୃଦ୍ଧି ସମସ୍ୟାକୁ ଜଟିଳ କରୁଛି। ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧ ପଇସା ବଢି ୮୨.୪୯ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଅପରିବର୍ତ୍ତିତ ୮୦.୦୩ ଟଙ୍କା ରହିଛି। ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ ୧୧ ଥର ବଢିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ୧.୪୬ ଟଙ୍କା ମହଙ୍ଗା ହୋଇଥିବା ଜଣାପଡିଛି। ସେହିଭଳି ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ୯ରୁ ୧୧ ପଇସା ବଢିଥିବା ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ପେଟ୍ରୋଲ ୧୧ ପଇସା ବଢି ୮୧.୯୪ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ଏହା ୯ ପଇସା ବଢି ୮୪.୯୧ ଟଙ୍କା, କୋଲ୍‌କାତାରେ ୧୦ ପଇସା ବଢି ୮୩.୪୩ ଟଙ୍କା ଏବଂ ମୁମ୍ବାଇରେ ୧୦ ପଇସା ବଢି ୮୮.୫୮ ଟଙ୍କା ରହିଛି। ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। ଜୁନ୍‌ ୨୯ ପରଠାରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ଅଗଷ୍ଟ ୧୬ ପରଠାରୁ ଦରରେ ପୁଣି ପରିବର୍ତ୍ତନ ପରିଲକ୍ଷିତ ହେଉଛି। ବର୍ତ୍ତମାନ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ଦର ଭିନ୍ନ ଭିନ୍ନ ରହୁଥିବା ନଜରକୁ ଆସିଛି। ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଦେଶୀ ବିନିମୟକୁ ନଜରରେ ରଖି ଦର ନିର୍ଦ୍ଧାରଣ ହେଉଥିବାରୁ ତେଲର ରିଟେଲ ଦରରେ ଭିନ୍ନତା ଆସୁଛି। ଏହା ସହ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ ମଧ୍ୟ ତେଲ ଦର ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡିକ ତେଲ ଦରରେ ପରିବର୍ତ୍ତନକୁ ପ୍ରତିଦିନ ସକାଳ ୬ଟାରେ ଲାଗୁ କରୁଛନ୍ତି।