ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ ଗୁରୁବାର ପୂର୍ବାହ୍ନରେ ବନ୍ଦ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ କାହିଁକି ଓ କିଏ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନି ବୋଲି କୁହାଯାଉଛି। ବହୁ ପ୍ରତୀକ୍ଷିତ ଏହି ଲୁଣାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ୨ ବର୍ଷ ପୂର୍ବେ ଶିଳାନ୍ୟାସ ହୋଇଥିଲା। ୨୦୨୪ରେ ଜାତୀୟ ଜଳପଥ କର୍ତ୍ତୃପକ୍ଷ ନୂଆଦିଲ୍ଲୀଙ୍କ ଅନୁମତି ପତ୍ର ମିଳିବା ପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ମୋଟ ବ୍ୟୟ ଅଟକଳ ପରିମାଣ ୭୦ କୋଟି ରହିଛି । ୩୬୮ମିଟର ଲମ୍ବ ଓ ୮ଟି ପିଲରରେ ନିର୍ମାଣ କାର୍ଯ୍ୟ ହେଉଛି। ଓଡ଼ିଶାର ଲାଟେଷ୍ଟ ମଡେଲର ଏହି ସେତୁ ପ୍ରସ୍ତୁତରେ ଦ୍ରୁତଗତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ ବ୍ଲକ ମୁଖ୍ୟାଳୟରୁ ତେରଗାଁ, ଯଦୁପୁର , ଗଡ଼ରୋମିତ , ଟିକର ପଙ୍କା, ପାଟୁଳୀପଙ୍କ, ଖୁରୁସିଆ, ଅମେଇପାଳ, ତିଖିରି ସମେତ ୧୦ ପଞ୍ଚାୟତ ସହିତ ସଂଯୋଗୀକରଣ ସମ୍ଭବ ହେବ ବୋଲି କୁହାଯାଉଛି। ଅପରପକ୍ଷରେ ଏହି ସେତୁ ଦେଇ ବ୍ଲକ ସହିତ ପାରାଦୀପ ବନ୍ଦର ସହିତ ଗାଡ଼ି ଚଳାଚଳ ପାଇଁ ସୁଗମ ପଥ ଖୋଲିବ ବୋଲି କହିଛନ୍ତି। ଏହି ସେତୁ ନିର୍ମାଣ କାର୍ଯ୍ୟ କୋଲକାତାର ଏକ ଘରୋଇ ନିର୍ମାଣକାରୀ ସଂସ୍ଥା ଠିକା ନେଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ସେତୁ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବିଭାଗୀୟ ସୂତ୍ରରୁ କୁହାଯାଉଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଭାଗୀରଥି ଦାସଙ୍କୁ ପଚାରିବାରେ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିବା ନେଇ ଖବର ନାହିଁ ବୋଲି କହିଛନ୍ତି।