ଥୁଆମୂଳ ରାମପୁର, ୨୭|୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ଅନୁଷ୍ଠିତ ଗ୍ରାମସଭାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାରୀ ଯୋଜନାରେ ବାଟମାରଣା, ଅଧିକାରୀ ଓ ସରପଞ୍ଚଙ୍କ ମନମୁଖୀ ଶାସନ ଏବଂ ବଜାର ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀମାନେ ସରପଞ୍ଚ ଓ ପ୍ରଶାସନକୁ ସିଧାସଳଖ ଜବାବ ମାଗିଛନ୍ତି । ବିଶେଷ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଟଙ୍କଧର ସାହୁଙ୍କ କ୍ରମାଗତ ଅନୁପସ୍ଥିତି ଏବଂ ଦାୟିତ୍ୱହୀନତାକୁ ନେଇ ସଭାରେ ଗର୍ଜନ କରିଛନ୍ତି ଜନସାଧାରଣ ।
ଅଭିଯୋଗ ଅନୁଯାୟୀ, ତହସିଲ କାର୍ଯ୍ୟାଳୟ ପାଖରେ ସରକାରୀ ଅନୁଦାନରେ ସାପ୍ତାହିକ ବଜାର ପିଣ୍ଡି ନିର୍ମିତ ହୋଇଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ସେଠାରେ ବଜାର ବସାଯାଉ ନାହିଁ । ଫଳରେ ବଜାରଟି ଏକ ବେସରକାରୀ ଓ ବିପଦପୂର୍ଣ୍ଣ ସ୍ଥାନରେ ବସୁଛି । ଏହାର ସୁଯୋଗ ନେଇ କିଛି ମୁଷ୍ଟିମୟ ଲାଭଖୋର ବ୍ୟକ୍ତି ଦୋକାନୀଙ୍କ ଠାରୁ ବେଆଇନ ଭାବେ ପଇସା ଆଦାୟ କରୁଛନ୍ତି, ଯେଉଁଥିରୁ ପଞ୍ଚାୟତକୁ କୌଣସି ରାଜସ୍ୱ ମିଳୁନାହିଁ । ସେହିପରି ବ୍ଲକ ମୁଖ୍ୟାଳୟ ହୋଇଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟରେ କୌଣସି Display Board (ସୂଚନା ଫଳକ) ନାହିଁ କି ବସ୍ତି ଅଞ୍ଚଳରେ ଷ୍ଟ୍ରୀଟ୍ ଲାଇଟ୍ ଲାଗୁନାହିଁ । ଆଶ୍ଚର୍ଯ୍ୟର କଥା, ଜନବସତି ଥିବା ୱାର୍ଡରେ ଲାଇଟ୍ ନଥିବା ବେଳେ କିଛି ପରିତ୍ୟକ୍ତ “ଭୂତ କୋଠା” ମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇ ଅର୍ଥର ଅପବ୍ୟୟ କରାଯାଉଛି । PEO ଟଙ୍କଧର ସାହୁ ତଲଝାପି ଓ ଥୁଆମୂଳ ରାମପୁର ଦୁଇଟି ପଞ୍ଚାୟତ ଦାୟିତ୍ୱରେ ଥିବା ବେଳେ ସେ ସର୍ବଦା ତଲଝାପିରେ ରହୁଥିବା ଏବଂ ମୁଖ୍ୟାଳୟ ପଞ୍ଚାୟତକୁ ଅବହେଳା କରୁଥିବା ଅଭିଯୋଗ ହୋଇଛି।
ଗ୍ରାମସଭା, ପଲ୍ଲୀସଭାରେ ସେ ଅନୁପସ୍ଥିତ ରହି ADEO ଏବଂ GRS ମାନଙ୍କୁ ଦାୟିତ୍ୱ ଦେଇ ନିଜେ ଖସି ଯାଉଛନ୍ତି। ଅପରପକ୍ଷରେ, ସରପଞ୍ଚ ବିଜୟା ମାଝୀ ଲୋକଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ଅଭିଯୋଗକାରୀ ବା ସାମ୍ବାଦିକଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବା ଜଣାପଡିଛି । ଲୋକେ ସଭାରେ ସିଧାସଳଖ ଥୁଆମୂଳ ରାମପୁର ପାଇଁ ଜଣେ ସ୍ୱତନ୍ତ୍ର (Separate) PEO ନିଯୁକ୍ତି ପାଇଁ ଦୃଢ ଦାବି କରିଛନ୍ତି ।
ଜନସାଧାରଣଙ୍କ ପ୍ରଶ୍ନବାଣରେ ଅତିଷ୍ଠ ହୋଇ ଶେଷରେ ସରପଞ୍ଚ ବିଜୟା ମଜୁ ଓ ADEO ଚୂଡ଼ାମଣି ରାଉତଙ୍କ ଉପସ୍ଥିତିରେ ନିମ୍ନଲିଖିତ ବିଷୟଗୁଡ଼ିକ ରେଗୁଲେସନରେ ସ୍ଥାନ ପାଇଛି:
* ବଡ଼ ଖମନ ପଡ଼ାରେ ବିଦ୍ୟୁତ୍ ସଂଯୋଗ ଏବଂ ତାଲାବନ୍ଦ ପଡ଼ାରେ ନଳକୂପ ସ୍ଥାପନ।
* ବଞ୍ଚିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଓ ବସ ଷ୍ଟାଣ୍ଡ ଶୌଚାଳୟ କାର୍ଯ୍ୟକ୍ଷମ।
* ବସୁଧା ଯୋଜନାର Switch Valve ରାସ୍ତା ମଝିରୁ ସ୍ଥାନାନ୍ତର।
* ଅବ୍ୟବହୃତ ପୋଖରୀକୁ ପୋତି ବସ୍ ଷ୍ଟାଣ୍ଡ ନିର୍ମାଣ କିମ୍ବା ସଂସ୍କାର କରିବା।
* ବ୍ଲକ ମୁଖ୍ୟାଳୟରେ JIO Network ଟାୱାର ସ୍ଥାପନ।
* ପଞ୍ଚାୟତର ଦୋକାନ ଘର ଭଡ଼ା ବୃଦ୍ଧି ଓ ନୂତନ ଦୋକାନ ଗୃହ ନିର୍ମାଣ।
* ମୁଖ୍ୟ ଫାଟକରେ ସୂଚନା ଫଳକ ଲଗାଇବା।
“ଯଦି ପୂର୍ବ ବର୍ଷର କାମ ସବୁ କାର୍ଯ୍ୟକାରୀ ହେଉନାହିଁ, ତେବେ ପ୍ରତିବର୍ଷ ଏହି ଗ୍ରାମସଭା କାହିଁକି କରାଯାଉଛି?” ବୋଲି ଉପସ୍ଥିତ ଜନସାଧାରଣ ପ୍ରଶ୍ନ କରିଛନ୍ତି। ଲୋକେ ଚଳିତ ବର୍ଷର କୌଣସି କାର୍ଯ୍ୟ ଖସଡ଼ା ଦେବାକୁ ମନା କରିବା ସହ ପ୍ରଥମେ ପୂର୍ବ କାର୍ଯ୍ୟର ହିସାବ ମାଗିଛନ୍ତି। ଆଜିର ଏହି ସଭାରେ ୱାର୍ଡ ସଭ୍ୟ, ଗାଁ ସାଥି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ନା ଏହା ମଧ୍ୟ ପୂର୍ବ ଭଳି ଚାପି ହୋଇ ରହିବ ।