ବଲାଙ୍ଗୀର, ୨୮।୮: ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୮ ବର୍ଷ ହେଲା ଏହି ଗ୍ରାମବାସୀ ଜାତିପ୍ରଥାର ଘୂର୍ଣ୍ୟ ପରମ୍ପରାକୁ ପଛରେ ପକାଇ ନୂଆଁଖାଇ ଦିନ ସମାଜବାଦ ଓ ମାନବବାଦର ମହାନ ବାର୍ତ୍ତା ଦେଇଆସୁଛନ୍ତି । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ବହୁ ଊର୍ଦ୍ଧ୍ୱ୍ରୁ ଉଠି ଏହି ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଳନ କରି ତିହାରର ଅସଲ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି । ଶିରାବାହାଲର ଏହି ସାମୂହିକ ନୂଆଁଖାଇର ଏବେ ଆଖପାଖ ଅଞ୍ଚଳର ଲୋକେ ପ୍ରେରଣା ନେଉଛନ୍ତି ।
୧୮ବର୍ଷ ତଳେ ଏହି ଗାଁର ଲୋକେ ଏକାଠି ହୋଇ ଭାଗବତ ପରାୟଣ ସପ୍ତାହ ପାଳନ କରିଥିଲେ। ଏହି ଅବସରରେ ୭ ଦିନ ଧରି ସମସ୍ତ ପରିବାର ଏକାଠି ମିଶି ଅନ୍ନ ପ୍ରସାଦ ସେବନ କରିଥିଲେ । ସେହି ବର୍ଷ ନୂଆଁଖାଇ ପାଳନ କରିବା ପାଇଁ ଶିରାବାହାଲ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଇଁ ସିଦ୍ଧାନ୍ତ ନେଇଥିଲେ । ସେହିଦିନରୁ ଗାଁରେ ଥିବା ବିଭିନ୍ନ ଜାତି ଓ ଧର୍ମର ଲୋକେ ଗାଁ ମଝି ରାସ୍ତାରେ ବସି ନୂଆଁ ଖାଇ ଆସୁଛନ୍ତି। ନୂଆଁଖାଇ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭହୋଇଥିଲା। ଗାଁ ମଧ୍ୟଭାଗରେ ଥିବା ଭାଗବତ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ନୂଆଁଖାଇ ଲଗ୍ନ ସ୍ଥିର କରାଯିବା ସହ ପ୍ରତ୍ୟେକ ପରିବାର ପିଛା କେତେ ସହଯୋଗ ରାଶି ଦେବେ ତାହା ନିରୂପିତ ହୋଇଥିଲା। ଗୁରୁବାର ସକାଳେ ବିଧିମତେ ଲଗ୍ନ ଅନୁଯାୟୀ ଗାଁର ଝାଙ୍କର ଗ୍ରାମଦେବୀ କନ୍ଧେନ ବୁଢ଼ୀ ପାଖରେ ନବାନ୍ନ ଅର୍ପଣ କରିଥିଲେ।
ଏହାପରେ ଭାଗବତ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଏକତ୍ରିତ ହୋଇ ଧାଡିରେ ବସିଥିଲେ। ଗ୍ରାମଦେବୀଙ୍କ ପାଖରେ ନବାନ୍ନ ଅର୍ପଣ ହେବା ପରେ ଗ୍ରାମବାସୀଙ୍କୁ ପ୍ରସାଦ ଆକାରରେ ବଣ୍ଟା ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଭୋଜି ଭାତର ଆସର। ଅପରାହ୍ନରେ ନୂଆଁଖାଇ ଜୁହାର ଓ ଭେଟଘାଟ ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ପରିବେଶ ଭିତରେ ଗ୍ରାମବାସୀ ନୂଆଁଖାଇର ଅସଲ ଉଦ୍ଦେଶ୍ୟକୁ ବୁଝି ଏହି ପରମ୍ପରାକୁ ଶହଶହ ବର୍ଷ ଧରି ବଜାୟ ରଖିବା ଉପରେ ଜୋର ଦେଇଥିଲେ।