ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ସନ୍ଥିଆ ଗ୍ରାମରେ। ଗ୍ରାମବାସୀଙ୍କ ଦ୍ୱାରା କାବୁ ହୋଇ ଥିବା ଯୁବକ ଜଣଙ୍କ ବିଭିନ୍ନ ସମୟରେ ଚୋରି କରି କୌଶଳ କ୍ରମେ ଫେରାର ହୋଇଯାଉଥିଲେ। ତେବେ ରବିବାର ଭୋର ସମୟରେ ଗ୍ରାମରେ ଜଣେ ଲୋକଙ୍କ ଘରେ ଚୋରି କରି ପଳେଇ ଯାଉଥିଲେ।
ଏହି ସମୟରେ ଗ୍ରାମବାସୀ ଏକାଠି ହୋଇ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଉତ୍ତମ ମଧ୍ୟମ ଦେଇ ଗାଁ ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ବାନ୍ଧି ଦେଇଥିଲେ। ଖବର ପାଇ ଭଦ୍ରକ ପୁରୁଣା ବଜାର ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ଚୋରି ସମ୍ପର୍କରେ ପଚରାଉଚରା କରୁଛି। ତେବେ ସେହି ଯୁବକ ଜଣଙ୍କ ଏତେ ମାତ୍ରାରେ ନିଶା ଶକ୍ତ ହୋଇଛନ୍ତି ଯେ ସେ ଠିକ୍‌ ଭାବେ କଥା ମଧ୍ୟ କହି ପାରୁନାହାନ୍ତି। ସମ୍ପୃକ୍ତ ଯୁବକଙ୍କଠାରୁ ପୋଲିସ ବସ୍ତାରେ ରଖିଥିବା ଚୋରି ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily