ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ସରିଲା କାର୍ତ୍ତିକ ବ୍ରତ। ଏହା ପରେ ଛାଡ଼ଖାଇ ପାଳନ କରାଯାଏ। ଯାହା ମାସ ତମାମ ଖାଇବା ଛାଡ଼ିଥିବ ତାକୁ ଛାଡ଼ଖାଇ ଦିନ ଖାଇବ ତେବେ ଏହି କ୍ରମରେ ଅଧିକାଂଶ ଶ୍ରଦ୍ଧାଳୁ ଆମିଷ ଏବଂ ପିଆଜ, ରସୁଣ ଛାଡ଼ିଥାନ୍ତି। ତେବେ ଏହି ଛାଡ଼ଖାଇରେ ସେସବୁ ଖାଇବା ପୁନଃ ଆରମ୍ଭ କରନ୍ତି। ଗତକାଲି ଗୁରୁବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରିପାରିନାହାନ୍ତି। ତେବେ ଶୁକ୍ରବାର ଛାଡ଼ଖାଇ ରହିଥିଲେ ମଧ୍ୟ ପୂର୍ବ ଭଳି ଆମିଷ ଦୋକାନରେ ଭିଡ଼ ଦେଖିବାକୁ ମିଳିନାହିଁ। ଅନେକ ମାଛ ବ୍ୟବସାୟୀ ମାଛ ସହ ଚିଙ୍ଗୁଡ଼ି, କଙ୍କଡ଼ା ସହ ବିଭିନ୍ନ ପ୍ରକାର ମାଛ କୁଇଣ୍ଟାଲ ସଂଖ୍ୟାରେ ଆଣିଥିଲେ ମଧ୍ୟ ସେହି ପରିମାଣର ଗ୍ରାହକଙ୍କ ଭିଡ଼ ନ ଥିବାରୁ ନିରାଶ ହୋଇଥିବା ବରିଷ୍ଠ ମାଛ ବ୍ୟବସାୟୀ ସତ୍ୟନାରାୟଣ ବେହେରା କହିଛନ୍ତି। ସେ କହିଛନ୍ତି, ନିୟମିତ ବଜାର ଯେଉଁ ଭଳି ବ୍ୟବସାୟ ହେଉଛି ଛାଡ଼ଖାଇରେ ମଧ୍ୟ ସେ ସମାନ ବ୍ୟବସାୟ ହେଉଛି।
ସେହିପରି ମଟନ, ଚିକେନ ଦୋକାନରେ ମଧ୍ୟ ସେଭଳି ଆଖିଦୃଶିଆ ବ୍ୟବସାୟୀ ନ ଥିବା ମଟନ ବ୍ୟବସାୟୀ ଫିଲମାନ ଦିଗାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଜଣେ ଗ୍ରାହକ ତାଙ୍କ ନାମ ଗୋପନ ରଖି କହିଛନ୍ତି ଯେ, ପନିପରିବା ଦର ଆକାଶ ଛୁଆଁ ହୋଇଥିବାରୁ କାର୍ତ୍ତିକ ବ୍ରତ କରୁଥିଲେ ମଧ୍ୟ ଆମିଷ ଖାଇବାକୁ ଇଚ୍ଛା ପ୍ରକାଶ କରିଛୁ କାରଣ ଆମିଷ ଓ ପନିପରିବା ଦର ପ୍ରାୟ ସମାନ ବୋଲି ସେ କହିଛନ୍ତି।