ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ) ଶିବା ନାୟକ (୪୦)ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଖୋସଲା ଓ ସ୍ତ୍ରୀ ସୁମିତ୍ରା ନାଇକାମଙ୍କ ଏତଲା ପ୍ରକାରେ ମାଛକୁଣ୍ଡ ଥାନା ପୋଲିସ ଅପମୃତ୍ୟୁ ମାମଲା ୧/୨୦୨୬ରେ ରୁଜୁ କରି ମୃତଦେହ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନାଧିକାରୀ କୁଳମଣି ବୁରୁଦା ସୂଚନା ଦେଇଛନ୍ତି।
ପ୍ରାଥମିକ ତଦନ୍ତରୁ କିଛି ପାରିବାରିକ ବିଶୃଙ୍ଖଳା ଯୋଗୁ ସିସିଏ ଶିବା ୪/୫ ଦିନ ହେଲା ଘରକୁ ନ ଯାଇ ଛାତ୍ରାବାସରେ ବସବାସ କରୁଥିଲେ। ଗତକାଲି ରାତି ଛାତ୍ରାବାସର ସମସ୍ତ କାର୍ଯ୍ୟସାରି ଅଫିସ ରୁମ୍ ଫ୍ୟାନ୍ରେ ଲୁଙ୍ଗି ଦ୍ୱାରା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଇଆଇସି ବୁରୁଦା କହିଛନ୍ତି। ଘଟଣା ପ୍ରତି ଦୃଷ୍ଟି ରଖିଥିବା ନନ୍ଦପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନଗେନ ତ୍ରିପାଠୀ ସୂଚନା ଦେଇଛନ୍ତି।

