ଚିକିତ୍ସାଧୀନ ଅବସ୍ଥାରେ ପିଇଓଙ୍କ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା ଉଠିଲା ପ୍ରଶ୍ନ

ଭବାନୀପାଟଣା,୯ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟ ଜାତୀୟ ରାଜପଥ ୨୬ ଉପରେ ଗତ ବୁଧବାର ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ନାମ ନାଗାର୍ଜୁନ ବାଗ(୩୯) ଓ ସେ କଲମପୁର ବ୍ଲକ ଭାଟିଗାଁର ବୋଲି ଜଣାପଡ଼ିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସଙ୍କଟାପନ୍ନ ହେବାରୁ ବରଗଡ଼ ବିକାଶ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳରେ ତାଙ୍କର ମୃତ୍ୟୁ ହୋଇଛି। ମୁଣ୍ଡରେ ଗଭୀର ମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ପିଇଓ ବାଗଙ୍କ ମୃତ୍ୟୁର କାରଣ ଦୁର୍ଘଟଣା ନା ଆଉ କିଛି ତାହାକୁ ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। କାରଣ ମୁଣ୍ଡର ଆଘାତକୁ ଦେଖିଲେ ଏହା ଦୁର୍ଘଟଣା ବୋଲି ମନେହୁଏ ନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ଶନିବାର ସନ୍ଧ୍ୟାରେ ନିଜ ଗ୍ରାମରେ ମୃତଦେହ ପହଞ୍ଚିଥିଲା। ଏହାପରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଥିଲା। ପିଇଓ ବାଗ ଭବାନୀପାଟଣା ବ୍ଲକ ପଲନା, ଅର୍ତ୍ତଲ ଓ ମାଟିଆ ଆଦି ୩ ପଞ୍ଚାୟତର ଦାୟିତ୍ୱ ତୁଲାଉଥିଲେ।