ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଗୁଡାରି ବିଡିଓ ସୁଚିସ୍ମିତା ବେହେରାଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏ ସମ୍ପର୍କ ରେ ବିଡିଓ କହିଛନ୍ତି ପେଣ୍ଡିଲି ସରପଞ୍ଚଙ୍କ ଇସ୍ତଫା ପତ୍ର ପାଇଛି। ଏହି ଇସ୍ତଫା ପତ୍ର ଗୁଣୁପୁର ଉପଜିଲାପାଳଙ୍କୁ ପଠାଯିବ।
ରେଣୁକା ଶବରଙ୍କ କହିବାନୁଯାୟୀ, ସେ ଶିକ୍ଷା ବିଭାଗରେ ଚାକିରି ପାଇଥିବାରୁ ନିଜ ଇସ୍ତଫା ଦେଇଛନ୍ତି। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ପେଣ୍ଡିଲି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ଗ୍ରାମବାସୀଙ୍କ ପ୍ରିୟ ପାତ୍ର ହୋଇଛନ୍ତି। ରାଜନୀତି ଛାଡି ବର୍ତ୍ତମାନ ସେ ସରକାରୀ ପଦବୀରେ କାର୍ଯ୍ୟ କରିବେ। ପ୍ରକାଶ ଥାଉକି ପୂର୍ବରୁ ବ୍ଲକର ଏମ୍‌ କେ ରାଇ ଗ୍ରାମପଞ୍ଚାୟତର ସରପଞ୍ଚ ତୟାରଗ୍ରାସମୀ ଶବର ସରକାରୀ ଚାକିରି ପାଇବା ପରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ସେହିପରି କଦମା ଗ୍ରାମପଞ୍ଚାୟତ ସରପଞ୍ଚ ଅନାସ୍ଥାରେ ନିଜ ପଦବୀ ହରାଇଥିଲେ। ବର୍ତ୍ତମାନ ଗୁଡାରି ବ୍ଲକର ୯ ଗୋଟି ପଞ୍ଚାୟତର ୩ ଗୋଟି ସରପଞ୍ଚ ପଦବୀ ଖାଲି ରହିଛି ଏବଂ ଏହି ୩ ଗୋଟି ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ କାର୍ଯ୍ୟରତ ଅଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୁଡାରିରେ ଏକ ପ୍ରି ନିର୍ବାଚନ  ଦେଖିବାକୁ ମିଳିବ ଏବଂ ରାଜନୈତିକ ଦଳ ଗୁଡିକ ମଧ୍ୟରେ ମଧ୍ୟ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିବ।
Dharitri – Odisha’s No.1 Odia Daily

Share