ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ): ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ ଆସୁଥିବା ବେଳେ ଅନେକ ସମୟରେ ନୀତିରେ ବିଳମ୍ବ ଦେଖିବାକୁ ମିଳୁଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ଶୁକ୍ରବାର ବିଳମ୍ବରେ ଶ୍ରୀମନ୍ଦିର ଗୁମୁଟରେ ଥିବା ପତିତପାବନଙ୍କ ଦ୍ଵାର ବିଳମ୍ବରେ ଖୋଲାହେବା ପରେ ଆଳତି ସମ୍ପନ୍ନ କରାଯାଇଛି ।
ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଦର୍ଶନ ଯେଉଁମାନେ କରି ପାରନ୍ତି ନାହିଁ, ସେମାନେ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନଙ୍କ ଦର୍ଶନ କରିଥାନ୍ତି । ତେଣୁ ପ୍ରତ୍ୟେକ ଦିନ ସିଂହଦ୍ୱାର ସମ୍ମୁଖରେ ଭକ୍ତମାନେ ଦର୍ଶନ କରି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଶ୍ରୀମନ୍ଦିର ଦ୍ଵାର ଖୋଲା ହେବା ପରେ ପତିତପାବନଙ୍କ ମନ୍ଦିର ଦ୍ଵାରା ଖୋଲାଯାଇଥାଏ । ମାତ୍ର ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୯ ଟା ୪୫ ମିନିଟରେ ପତିତପାବନଙ୍କ ମନ୍ଦିର ଦ୍ଵାରା ଖୋଲା ଯାଇ ଆଳତି କରାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପାଳିଆଙ୍କ ବ୍ୟକ୍ତିଗତ କାରଣ ଯୋଗୁ ଏପରି ଵିଳମ୍ୱ ହୋଇଥିବା ସୂଚନା ମିଳିଛି ।