କେସିଙ୍ଗା,୨୭ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ଜିଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୭ ଦିନରେ ଥରେ ରୋଗୀସେବା କରିବା ପାଇଁ ସିଡିଏମଓ ଆଦେଶ ଦେଇଥିବାରୁ ରୋଗୀସେବାରେ ଘୋର ବ୍ୟାହତ ସୃଷ୍ଟି ହେଉଛି। କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକର କାଣ୍ଡେଲ, ଉତ୍କେଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଭବାନୀପାଟଣା ବ୍ଲକର ଦେପୁର, ଦାଦପୁର, ବୋର୍ଡାର ଯୁଗସାଏ ପାଟଣା ଜଣେ ମହିଳା ଫିଜିଓଥେରାପିଷ୍ଟଙ୍କୁ ହାତ,ଗୋଡ଼, ଅଣ୍ଟା,ବେକ, ଶରୀରର ଆଦି ଅଂଶକୁ ଚିକିତ୍ସା କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୭ଦିନରେ ଥରେ ରୋଗୀମାନଙ୍କୁ କେବଳ ୯୦ ମିନିଟ୍ ମଧ୍ୟରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୯୦ ମିନିଟ୍ ବା ଦେଢ଼ ଘଣ୍ଟା ହେଲେ ଫିଜିଓଥେରାପିଷ୍ଟ ଜଣକ ଉକ୍ତ ପ୍ରାଥମିକ ସ୍ବାସ୍ଥ୍ୟରୁ ପଲାଇଯାଆନ୍ତି। ଯାହାଫଳରେ ରୋଗୀମାନେ ୭ଦିନ ଅପେକ୍ଷା କରିଥାନ୍ତି। ଯଦିଓ ଜିଲା ସ୍ବାସ୍ଥ୍ୟ ବିଭାଗର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଣ୍ଡେଲର ଗୋଟିଏ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦେଲେ ରୋଗୀମାନେ ଠିକ୍ ଭାବେ ରୋଗୀସେବା ପାଇ ପାରିବେ ବୋଲି ଜନସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ ପବ୍ଲିକ ହେଲ୍ଥ ଅଫିସର ଅବିନାଶ ପ୍ରଧାନଙ୍କୁ ପଚାରିବାରୁ ସିଡିଏମ୍ଓଙ୍କ ନିର୍ଦ୍ଦେଶନାରେ ଫିଜିଓଥେରାପିଷ୍ଟଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୭ଦିନରେ ଥରେ ଦେଢ଼ ଘଣ୍ଟା କାମ କରି ୭୫୦ଟଙ୍କା ପାଇବେ ବୋଲି ପ୍ରକାଶ କରିଥିଲେ।