ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌ ସଂଗ୍ରହକାରୀ ଟିକେଟ୍‌ ବାବଦକୁ ଅର୍ଥ ସଂଗ୍ରହ କରୁଥିଲେ ସୁଦ୍ଧା ଯାତ୍ରୀଙ୍କୁ ଅର୍ଥ ବାବଦରେ ଟିକେଟ୍‌ ଖଣ୍ଡିଏ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ତେବେ ଯଦି ଯାତ୍ରୀ ତାର ପ୍ରାପ୍ୟ ଦେଇ ବସ୍‌ରେ ଯାତ୍ରା କରୁଛନ୍ତି। ସେ ସେହି ଅର୍ଥ ବଦଳରେ ଟିକେଟ ଖଣ୍ଡିଏ ପାଇବା ନିୟମ ଓ ଅଧିକାର ରହିଛି କିନ୍ତୁ ତାହା ଉପରେ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗ ହେଉଛି। ତେବେ ଟିକେଟ୍‌ ଅର୍ଥ ସରକାରଙ୍କ ଖାତାକୁ ଯିବା ବଦଳରେ ଏହା ତୋଷରପାତ ହେଉଥିବା ଅଭିଯୋଗ ହେଉଛି। ବିନା ଟିକେଟ୍‌ରେ ବସ୍‌ରେ ଯାତ୍ରା କରିବା ଦଣ୍ଡନୀୟ ଅପରାଧ ହୋଇଥିଲେ ସୁଦ୍ଧା ଯାତ୍ରୀଙ୍କ ସୁରକ୍ଷା ଦିଗରେ ବସ୍‌ରେ ଏହି ଦାୟିତ୍ୱରେ ରହିଥିବା କଣ୍ଡକ୍ଟର କିନ୍ତୁ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ନିଜ ସୁବିଧାରେ ଚଞ୍ଚକତା କରୁଥିବା ଅଭିଯୋଗ ହେଉଛି।

ଏନେଇ ଜିଲା ପ୍ରଶାସନ ଏବଂ ରାଜ୍ୟ ପରିବହନ ବିଭାଗ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଯାତ୍ରୀମାନଙ୍କ ନିକଟରେ ଟିକେଟ ନ ଥିଲେ କୌଣସି ସ୍ଥାନରେ ଅଘଟଣ ଘଟିଲେ ଯାତ୍ରୀମାନେ ସରକାରୀ କିମ୍ବା ବୀମା ଅର୍ଥ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, କେରୁବାଡ଼ିଠାରୁ ବାହାରୁଥିବା ଏହି ବସ୍‌ ଦାରିଙ୍ଗବାଡ଼ି, ସିମନବାଡ଼ି, ରାଇକିଆ, ପାବୁରିଆ, ଟିକାବାଲି ହୋଇ ଫୁଲବାଣୀ ପ୍ରାୟ ଦୈନିକ ଯିବା ଓ ଆସିବା ୨୫୦କିମି ହେଉଛି। ଏହି ମଧ୍ୟରେ ଯାତ୍ରୀ ସିଧା ଫୁଲବାଣୀ ସମେତ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି ବସ୍‌ରେ ଭିଡ଼ ଯୋଗୁ ଟିକେଟ ଦେବା ସମ୍ଭବ ହେଉ ନ ଥିବା ଦାୟିତ୍ୱରେ ରହିଥିବା କଣ୍ଡକ୍ଟର ନିଜ ନାମ ସରୋଜ କୁମାର ନାହାକ କହିଛନ୍ତି। ବସ୍‌ ରହିବା ପରେ ଆମେ ଟିକେଟ କାଟି ହିସାବ ଦେଉଛୁ ବୋଲି କହିଛନ୍ତି। ତେବେ ଜଣେ ଯାତ୍ରୀ ଟିକେଟ୍‌ ପାଇବା ଅଧିକାର ରହିଥିବା ବେଳେ ଟିକେଟ କିଭଳି ଦିଆଯାଉନାହିଁ। ତା’ର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଟିକେଟ୍‌ ଦେବା ବାଧ୍ୟତା ଓ ନିଶ୍ଚିତ କରାଯିବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share