ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର ଅମ୍ବାଭାନା ବ୍ଲକ ଅଞ୍ଚଳରେ ରହିଥିବା ଏହି ପ୍ରକଳ୍ପର ପମ୍ପ ହାଉସ ଗୁଡିକରେ ମଙ୍ଗଳବାରଠାରୁ ତାଲା ଝୁଲୁଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବାରପାହାଡ କୃଷକ ସଂଗଠନ ଚେତାବନୀ ଦେଇଛି।
ପ୍ରକାଶ ଯେ, ଗତ ୨୦୧୮ ମସିହାରେ ତତକାଳୀନ ରାଜ୍ୟ ସରକାର ପାର୍ବତୀ ଗିରିଙ୍କ ନାମରେ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିପାଇଁ ୨୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୫୯ ପ୍ରକଳ୍ପ ନିର୍ମାଣ ଘୋଷଣା କରିଥିଲେ। ଏଥିରେ ହାରାହାରି ୮୦ହଜାର ହେକ୍ଟର ଜମି ଜଳସେଚନ ହେବାର ଲକ୍ଷ୍ୟ ରହିଥିଲା । ସେଥିମଧ୍ୟରୁ ବରଗଡ଼ ଜିଲା ଅମ୍ବାଭାନା ବ୍ଲକରେ ୩ଟି ପ୍ରକଳ୍ପ ରହିଛି। ସେଥିରୁ ତାମଦେଇରେ ୩୯କୋଟି ଖର୍ଚ୍ଚ କରି ୧୪ଶହ ହେକ୍ଟର, ଜାମପାଲିରେ ୩୪କୋଟି ଖର୍ଚ୍ଚରେ ୧୩ଶହ ହେକ୍ଟର ଏବଂ ଚିଖିଲିରେ ୫୩କୋଟି ଖର୍ଚ୍ଚ କରି ୨୦୦୦ ହେକ୍ଟର ଜମି ଜଳସେଚନ ହେବା ପାଇଁ ସରକାର ସେତେବେଳେ ଘୋଷଣା କରିଥିଲେ। ପ୍ରକଳ୍ପ ଗୁଡ଼ିକ ୨୦୨୩ ମସିହାରେ ଶେଷ ହୋଇଥିଲା। ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେଲା ବୋଲି କହି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କହିଥିଲେ । ହେଲେ ପ୍ରକଳ୍ପ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ଜମି ଚାଷ ହୋଇ ପାରୁଛି ବୋଲି ଚାଷୀମାନେ କହିଛନ୍ତି। ପରିଚାଳନାଗତ ତ୍ରୁଟି, ଲୋ ଭୋଲଟାଜ, ଇନଟେକ ୱାଲ ଓ ରିଜର୍ଭରକୁ ସଂଯୋଗ କରୁଥିବା ନାଳ ଗଭୀର ହୋଇ ନ ଥିବାରୁ ଠିକ ଭାବେ ମୋଟରକୁ ପାଣି ଆସୁନାହିଁ। ଏଭଳି ସ୍ଥିତିରେ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ମଙ୍ଗଳବାରରୁ ଟେଣ୍ଡର ନେଇଥିବା କମ୍ପାନୀ ଏଗ୍ରିମେଣ୍ଟ ସରିଯାଇଛି କହି ତାଲା ବନ୍ଦ କରି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଅଚଳ କରିଦେବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଅଧିନରେ ଚାଷ କରିଥିବା ହଜାର ହଜାର ଏକର ଧାନ, ମୁଗ, ଚିନାବାଦାମ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି।