କୋରଡ଼ରୁ ଶୁଆଧରା ଭିଡିିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲା ବନ ବିଭାଗ

ଭୁବନେଶ୍ୱର,୪।୩(ବ୍ୟୁରୋ): କନ୍ଧମାଳ ଜିଲାରେ ଗଛ କୋରଡରୁ ଶୁଆ ଶାବକଙ୍କୁ ଅତି ଅମାନୁଷିକ ଭାବେ ଉଠାଇ ନିଆଯାଉଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ। ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କାର୍ଯ୍ୟାୟଳର ୱାଇଲ୍ଡଲାଇଫ୍‌ କଞ୍ଜରଭେଶନ ଅଫିସରଙ୍କ ପକ୍ଷରୁ ଗୁରୁବାର କନ୍ଧମାଳର ଫୁଲବାଣୀ ବନଖଣ୍ଡ ଓ ବାଲିଗୁଡା ବନଖଣ୍ଡ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବା ପାଇଁ ଦୁଇ ଡିଏଫ୍‌ଓଙ୍କୁ ଚିଠି ଦିଆଯାଇଛି।
ସୂଚନାଯୋଗ୍ୟ, ଉକ୍ତ ଭିଡିଓ ବିଷୟରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ବୁଧବାର ଓଡ଼ିଶାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଅଭିଯୋଗ କରିଥିଲେ। ଶୁଭେନ୍ଦୁ ପ୍ରମାଣ ସ୍ବରୂପ ଶୁଆ ଶାବକଙ୍କ ଉପରେ ହୋଇଥିବା ନିଷ୍ଠୁରତାର ଏକାଧିକ ଭିଡିଓ ତାଙ୍କୁ ପ୍ରଦାନ କରିଥିଲେ। ଏ ସଂକ୍ରାନ୍ତରେ ଗୁରୁବାର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ୟୁଟ୍ୟୁବ୍‌ରୁ ଉକ୍ତ ଦୁଇ ଭିଡିଓକୁ ଡିଲିଟ୍‌ କରିଦିଆଯାଇଛି। ଖାଲି ସେତିକି ନୁହେଁ, କନ୍ଧମାଳ ଏଲ୍‌.କେ. ଚ୍ୟାନେଲ ନାମକୁ ମଧ୍ୟ ବଦଳାଇ ଦିଆଯାଇଛି। ତେବେ ଚ୍ୟାନେଲ ନାଁ ବଦଳାଇ ଭିଡିଓ ଡିଲିଟ୍‌ କରିଦେଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରାଯାଇପାରିବ। କାରଣ ସେଇ ଦୁଇଟି ଭିଡିଓର ୟୁଆର୍‌ଏଲ୍‌ ଥାଇ ସ୍କ୍ରିନଶଟ୍‌ ମଧ୍ୟ ପ୍ରମାଣ ସ୍ବରୂପ ଶୁଭେନ୍ଦୁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଦେଇଥିଲେ। ସେହି ୟୁଆରଏଲ୍‌ରୁ ସାଇବର ଏକ୍ସପର୍ଟମାନେ କିଏ ସେଇ ଚ୍ୟାନେଲ ଖୋଲିଥିଲେ, କିଏ ଅପରେଟ କରୁଥିଲେ, ର଼୍ୟାକେଟ ସହ ତାଙ୍କ ସମ୍ପର୍କ ଆଦି ତଥ୍ୟ ସହଜରେ ମିଳିପାରିବ। ତଦନ୍ତ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିବ। ତେବେ ଏସବୁ ପଛରେ ବନ ବିଭାଗର ନିଷ୍କ୍ରିୟତା ମୂଳ କାରଣ। ଶୁଆ ଭଳି ସଂରକ୍ଷିତ ପ୍ରାଣୀ ପ୍ରତି ବନ ବିଭାଗର କେତେଜଣ ଅଧିକାରୀ କୋହଳ ମନୋଭାବ ପୋଷଣ କରିଥାନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି।