ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି ମେଳାକୁ ସୁରୁଖୁରୁରେ କରିବା ପାଇଁ ବିଏମ୍ସି ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ମନଇଚ୍ଛା ପାର୍କିଂ ଫି’ ଆଦାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲିଜ୍ ଦେଇ ବିଏମ୍ସି ଚୁପ୍ ବସିଥିବାବେଳେ ଅଭିଯୋଗ ଆସିବା ପରେ ଚେତା ପଶିଛି।
ଅଭିଯୋଗର ସତ୍ୟାସତ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ସେ କହିଛନ୍ତି, ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଲିଜଧାରୀଙ୍କୁ ଚିହ୍ନଟ କରାଯାଇ ସୋ-କଜ୍ ନୋଟିସ୍ ଦିଆଯାଇଛି। ଯାତ୍ରୀମାନେ ଶୋଷଣ ହେବା ଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ସୂଚନା ଦିଆଯାଇଛି।
ଅଭିଯୋଗ ଅନୁସାରେ, ଚଳିତବର୍ଷ ବିଏମସି ଦ୍ୱାରା ଚିହ୍ନିତ ୫ଟି ଜାଗାରେ ଦିନକୁ ଅତି କମ୍ରେ ୩ ହଜାର ବାଇକ ପାର୍କିଂ ହେଉଛି। ବାଇକ ପାଇଁ ବିଏମ୍ସି ୧୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଲିଜ୍ଧାରୀମାନେ ୫୦ ଟଙ୍କା ନେଉଛନ୍ତି। ଏହି ହିସାବରେ ଦିନକୁ ୧ଲକ୍ଷ ୫୦ ହଜାର ଟଙ୍କା ଲୁଟି ନିଆଯାଉଛି। ସେହିପରି କାର୍ ପିଛା ୨୦ଟଙ୍କା ଥିବାବେଳେ ୧୦୦ରୁ ୨ଶହ ଟଙ୍କା ନିଆଯାଉଛି। ବାରଣ କଲେ ନାଲିଆଖି ଦେଖାଇବା ସହ ଗାଡି ରଖେଇ ଦେଉନାହାନ୍ତି।