ପରୀ ହତ୍ୟାକାଣ୍ଡ: ଗିରଫ ଅଭିଯୁକ୍ତ ନାବାଳକ ବୋଲି କହିଲେ ପୋକ୍ସୋ କୋର୍ଟ

ନୟାଗଡ଼ ଅଫିସ,୫।୧: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଜେଲରେ ଥିବା ଅଭିଯୁକ୍ତ ସାବାଳକ ନୁହନ୍ତି ବରଂ ନାବାଳକ। ଏହା କହିଛନ୍ତି ନୟାଗଡ଼ ପୋକ୍‌ସୋ କୋର୍ଟ। ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ପକ୍ଷରୁ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ପାଇଁ କରାଯାଇଥିବା ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ଗିରଫ ଅଭିଯୁକ୍ତ ନାବାଳକ। କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ରୁ ତାହା ସ୍ପଷ୍ଟ ହୋଇଛି। ଏହାଛଡ଼ା ଏସ୍‌ଆଇଟି କରିଥିବା ନାର୍କୋ ଟେଷ୍ଟ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଏହାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଛି। ତେବେ ଏହା ଏସ୍‌ଆଇଟି ପାଇଁ ବଡ ଝଟକା ବୋଲି କୁହାଯାଉଛି। କାରଣ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇ ଏସ୍‌ଆଇଟି କୋର୍ଟ ଚାଲାଣ କରିଥିଲା।

ପ୍ରକାଶ ଯେ, ଗତ ଡିସେମ୍ବର ୨୧ରେ ଏସ୍‌ଆଇଟି ଅଭିଯୁକ୍ତ କଲେଜ ଛାତ୍ରଙ୍କୁ କୋର୍ଟ ଚାଲାଣ କରିଥିଲା। ସୋମବାର ତାଙ୍କର ବିଚାର ବିଭାଗୀୟ ମିଆଦ ଶେଷ ହେବା ପରେ ଏସ୍‌ଆଇଟି କୋର୍ଟରେ ହାଜର କରାଇ ଜେଲ ପଠାଇଥିଲା। ଏତଦବ୍ୟତିତ ତାଙ୍କର ନାର୍କୋ ଆନାଲିସିସ୍‌ ପାଇଁ କୋର୍ଟରେ ଆବେଦନ କରିଥିଲା।