ଖଡ଼ିଆଳ,୫।୮.(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ପଞ୍ଚାୟତର ଜୁନାନୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ। ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୧୪୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଛଅ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟରେ ଥିବା ଛଅ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷୟତ୍ରୀ ସଂଯୁକ୍ତା ପଣ୍ଡା ଓ ସୌଭାଗ୍ୟ ମଞ୍ଜରୀ ପୁରୋହିତଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ ସ୍କୁଲରେ ଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ ଠିକ ଭାବରେ ସ୍କୁଲକୁ ଆସି ଠିକ ଭାବରେ ଶିକ୍ଷାଦାନ କରୁଛନ୍ତି। ତେଣୁ ଏହି ସ୍କୁଲରୁ ଅନ୍ୟତ୍ର ବଦଳି ହୋଇଥିବା ଶିକ୍ଷୟିତ୍ରୀମାନଙ୍କୁ ଜୁନାନୀ ସ୍କୁଲରେ ପୁନଃ ରଖାଯାଉ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ଓ ଗ୍ରାମବାସୀ, ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଗେଟରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍କୁଲ ପରିଚାଳନା କମିଟିର ସଭାପତି ଲିଙ୍ଗରାଜ ପଟେଲ, ଅଭିଭାବକ ମୁକୁନ୍ଦ ନାଗ, ଶଙ୍କର ପଟେଲ, ମହାବୀର କୈବର୍ତ୍ତ, ହରିଶ୍ଚନ୍ଦ୍ର ସିଂ ଦେଓ, ମୁକୁନ୍ଦ ପ୍ରଧାନୀ, ରଞ୍ଜୁ ବାରିକ, ଉମା ବାଗ, ମାୟା ସିଂ, ଭାନୁମତି ବାରିକ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ପଟ୍ଟନାୟକଙ୍କୁ ପଚାରିବରୁ ବିଦ୍ୟାଳୟ ବନ୍ଦ ବାବଦରେ ଆମେ ଜାଣିନଥିଲୁ। ଆମେ ବିଦ୍ୟାଳୟରେ ପହଞ୍ଚିବା ପରେ ଦେଖିଲୁ ଗେଟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ବସିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛୁ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ବଦଳି ବାତିଲ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି।


