ଭୁବନେଶ୍ୱର,୧ା୩: ମିଡ୍ ନାଇଟ୍ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍ ନାଇଟ୍ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍ ଚର୍ଚ୍ଚିତ। କାରଣ ଏହି ଦିନ ଗୋପନୀୟ ଭାବେ ଷଡ଼ଯନ୍ତ୍ର ଚଳାଇ ଦଳକୁ ଭାଙ୍ଗିବା, ନେତାଙ୍କୁ ବିଭାଜନ କରିବା, ଦଳର ନେତୃତ୍ୱକୁ ଦୁର୍ବଳ କରିବାର ଚେଷ୍ଟା କରାଯାଇଥିଲା।
୨୦୧୨ର ମିଡ୍ ନାଇଟ୍ ଅପରେଶନ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ବର୍ଗତଃ ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ କରାଯାଇଥିଲା। ନବୀନ ସେତେବେଳେ ନିଜେ ଏହାକୁ ‘midnight plot to dethrone me’ ବୋଲି କହିଥିଲେ। ନବୀନ ପଟ୍ଟନାୟକ ସେହିଦିନ ପ୍ୟାରୀଙ୍କୁ ଦଳରୁ ବିତାଡ଼ିତ କରିଥିଲେ।
ଏବେ ସେହି ଦିନର ଭିତିରି କଥା କହିଛନ୍ତି ପ୍ରଭାତ। ସେଦିନ ରାତି ଓ ପୂର୍ବ କିଛିଦିନର ଘଟଣାବଳୀ ବି କହିଛନ୍ତି। ପ୍ରଭାତ କହିଛନ୍ତି, ମୋତେ ଅତନୁ ସବ୍ୟସାଚୀ ନାୟକ ଘରକୁ ଡାକି ଖାଇବାକୁ ଦେଲେ। ସେତେବେଳକୁ ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ ପହଞ୍ଚି ସାରିଥିଲେ। ବିଭୂତି ବଳବନ୍ତରାୟ ଓ ରାଜୁ ବାବୁ ମଧ୍ୟ ପହଞ୍ଚି ସାରିଥିଲେ। ସେଦିନ କିଏ କାହାକୁ କ’ଣ କହିଥିଲେ ତାହାର ରେକର୍ଡ ମୋ ପାଖରେ ରହିଛି। ସ୍ବର୍ଗତଃ ପ୍ୟାରୀ ବାବୁ ଓ ତାଙ୍କ ସ୍ତ୍ରୀ ଶପଥ କରାଇଥିଲେ ପ୍ରକାଶ ନ କରିବାକୁ। ତେଣୁ ଆଜି ପର୍ଯ୍ୟନ୍ତ ମୁଁ ଚୁପ୍ ରହି ଆସିଥିଲି। ଖଇରିଆ ପୋଷାକ ପିନ୍ଧାଇବା ପାଇଁ ୨ ପୂର୍ବତନ ମନ୍ତ୍ରୀ, ଦେବାଶିଷ ହିଁ ଦାୟୀ ବୋଲି ପ୍ରଭାତ କହିଛନ୍ତି। ସେ ଆହୁରି ମଧ୍ୟ ଏକ ବଡ଼ କଥା କହିଛନ୍ତି। ଅତନୁ ଓ ବବି ଦଳ ପାଇଁ ରାତି ଅନିଦ୍ରା ହୋଇ ନାହାନ୍ତି ବରଂ ସେ ନିଜେ ହୋଇଥିବା କହିଛନ୍ତି।