‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଏହା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ କୃଷକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ରଖୁଛନ୍ତି ତାହା ସାଧିତ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ହ୍ରାସ ପାଉଥିବା କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏକ ସ୍ବତନ୍ତ୍ର ପଦକ୍ଷେପ ‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌ (ପିଡିଏମ୍‌ସି)’ ଖର୍ଚ୍ଚକୁ ନେଇ ଉଦ୍ୟାନ କୃଷି ବିଭାଗ ଚିନ୍ତା ପ୍ରକଟ କରିଛି। ଏହି ଯୋଜନାରେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟ ହ୍ରାସ ପାଉଥିବାରୁ ଏହା କିଭଳି ବୃଦ୍ଧି ପାଇବ, ସେନେଇ ବିଭାଗ ଗୁରୁତ୍ୱ ଦେଇଛି।
ଏ ସଂକ୍ରାନ୍ତରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କେ. ଗୋରଖ ଓ୍ବାମାନ ସବୁ ଜିଲାର ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କୁ ନିକଟରେ ପତ୍ର ଲେଖି ଏ ଦିଗରେ ତୁରନ୍ତ ଧ୍ୟାନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦର୍ଶାଇଛନ୍ତି, ଚାଷୀମାନଙ୍କ କ୍ଷେତରେ କିଭଳି ପାଣି ପହଞ୍ଚିବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଭାଗ ଯେଉଁ ଲକ୍ଷ୍ୟଧାର୍ଯ୍ୟ ରଖିଥିଲା ତାହା ପୂରଣ ହୋଇପାରୁନାହିଁ। ଏହାକୁ ନେଇ ତୁରନ୍ତ ଯେଉଁସବୁ କ୍ଷେତକୁ ‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ରେ ଅନ୍ତର୍ଭୁକ୍ତ କରାଯାଇଛି ତାକୁ ଜିଓଟ୍ୟାଗିଂ କରି ବିଭାଗକୁ ଜଣାଇବାକୁ ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଭାଗର ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସବୁ ରାଜ୍ୟକୁ ଯେଉଁ ସହାୟତା ମିଳୁଛି ସେଥିରେ ଓଡ଼ିଶାର ଦୁର୍ବଳ ସ୍ଥିତି ରହିଛି। ୨୦୨୪-୨୫ ବର୍ଷରେ ଓଡ଼ିଶା ଯେଉଁ ଟାର୍ଗେଟ୍‌ ରଖିଥିଲା ତାହା ୨୦୨୫-୨୬ ବର୍ଷ ବେଳକୁ ପ୍ରାୟ ୬୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଏହି ଯୋଜନାରେ ୮୫୬ କୋଟି ଟଙ୍କାର ସିଂହଭାଗ ସହାୟତା ହାତେଇବାକୁ ସକ୍ଷମ ହେଉଥିବାବେଳେ ଓଡ଼ିଶା ଏକ୍ଷେତ୍ରରେ ମାତ୍ର ୯୦ କୋଟିରେ ସୀମିତ ରହୁଛି। ତେବେ ଗୁଜରାଟ ୮୮୩.୭୫ କୋଟି, କର୍ନାଟକ ୬୮୩. ୪୭ କୋଟି, ଉତ୍ତରପ୍ରଦେଶ ୬୧୦.୪୩ କୋଟି, ତାମିଲନାଡୁ ୫୯୨.୦୫ କୋଟି ମହାରାଷ୍ଟ୍ର ୪୭୭.୨୬ କୋଟି ଏବଂ ମଧ୍ୟପ୍ରଦେଶ ୩୨୫.୬୩ କୋଟି ଟଙ୍କା ପାଇବାକୁ ସକ୍ଷମ ହୋଇପାରୁଛି। ସେହିପରି ୨୦୨୪-୨୫ ବର୍ଷରେ ୧.୫ ଲକ୍ଷ ହେକ୍ଟର ଜମିକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୭୨୦୦ ହେକ୍ଟର ଜମିକୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରହିଥିଲା। ଏଥିପାଇଁ ୧୩୩୧.୭୦ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଥିଲା। ସେହିପରି ଅନୁଗୋଳରେ ୫୮୨୦ ହେକ୍ଟର ପାଇଁ ୧୦୭୬.୪୬ ଲକ୍ଷ, ଗଞ୍ଜାମରେ ୬୩୦୦ ହେକ୍ଟର ପାଇଁ ୧୧୭୬.୩୪ ଲକ୍ଷ, କେନ୍ଦୁଝରରେ ୬୧୨୦ ହେକ୍ଟର ପାଇଁ ୧୧୩୧ ଲକ୍ଷ, ନବରଙ୍ଗପୁରରେ ୭୨୦୦ ହେକ୍ଟର ପାଇଁ ୧୩୩୧ ଲକ୍ଷ ଏବଂ ଅନ୍ୟାନ୍ୟ ଜିଲାକୁ ମିଶାଇ ୧ ଲକ୍ଷ ୫୦ ହଜାର ହେକ୍ଟର ଜମିରେ ୨୭୭୪୩.୮୨ ଲକ୍ଷ ଟଙ୍କା କେବଳ କୃଷି ସିଞ୍ଚାଇ ଯୋଜନାରେ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରହିଥିଲା। ହେଲେ ତୃଣମୂଳସ୍ତରରେ କାର୍ଯ୍ୟାନ୍ବୟନ ନ ହେବାରୁ ଚଳିତବର୍ଷ ମାତ୍ର ୫୦ ହଜାର ୯୦୩ ହେକ୍ଟର ଜମିରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କ୍ଷେତକୁ ପାଣି ଯୋଗାଇବାକୁ ବିଭାଗ ଲକ୍ଷ୍ୟ ରଖିଥିବା ଜଣାଯାଇଛି।

Dharitri – Odisha’s No.1 Odia Daily