କୋଲକାତା,୨୯ା୭: ଚଳିତବର୍ଷ ଆଇପିଏଲ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦଳର ମୁଖ୍ୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ମଙ୍ଗଳବାର ଅଲଗା ହୋଇଛନ୍ତି। ଏ ନେଇ କେକେଆର୍ ପକ୍ଷରୁ ଘୋଷଣା କରାଯାଇଛି। ଚନ୍ଦ୍ରକାନ୍ତ ଗତ ଦୁଇ ବର୍ଷ ଧରି କେକେଆର୍ ମୁଖ୍ୟ କୋଚ୍ ଥିଲେ। ତାଙ୍କ ମାର୍ଗଦର୍ଶନରେ କେକେଆର୍ ୨୦୨୪ରେ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଉଠାଇଥିଲା। ହେଲେ ଚଳିତବର୍ଷ ୨୦୨୫ ସଂସ୍କରଣରେ ଦଳ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲା, ଯାହାକି ଫ୍ରାଞ୍ଚାଇଜର ଇତିହାସରେ ସର୍ବନିମ୍ନ ପୋଜିଶନ ଥିଲା।
ପଣ୍ଡିତ ନୂଆ ସୁଯୋଗ ଖୋଜିବାକୁ ଏବଂ କେକେଆର୍ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଜାରି ନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୪ରେ ଆଇପିଏଲ୍ ଚାମ୍ପିୟନଶିପ୍ ଜିତିବା ଓ ଏକ ଶକ୍ତିଶାଳୀ ଦଳ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ କାରଣରୁ ଆମେ କୃତଜ୍ଞ। ତାଙ୍କର ନେତୃତ୍ୱ ଓ ଶୃଙ୍ଖଳାର ପ୍ରଭାବ ଦଳ ଉପରେ ସର୍ବଦା ରହିବ। ଆମେ ତାଙ୍କ ଭବିଷ୍ୟତ ଲାଗି ଶୁଭେଚ୍ଛା ଦେଉଛୁ ବୋଲି କେକେଆର୍ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।


